କଟକ:କଟକ ମହାନଗର ନିଗମ କାଉନସିଲ ବୈଠକରେ ବିରୋଧି ଦଳ କର୍ପୋରେଟରଙ୍କ ହାଇଡ୍ରାମା । ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି କର୍ପୋରେଟର ହୋହଲ୍ଲା କରିବାରୁ ସ୍ଥଗିତ ରହିଲା ବୈଠକ । ଫଳରେ କାଉନସିଲର ଗୃହ ଛାଡି ଚାଲିଯାଇଥିଲେ ମେୟର ଏବଂ କମିଶନର । ପୁନଃ ମେୟରଙ୍କ ସହିତ ଆଲୋଚନା ପରେ ଦ୍ବିତୀୟ ଥର ବୈଠକ ଆରମ୍ଭ ହୋଇଥିଲା । ମାତ୍ର ଶାସକ କର୍ପୋରେଟରଙ୍କୁ ବିରୋଧୀ ଦଳର କର୍ପୋରେଟର ମାନେ ଆକ୍ଷେପ ଯୋଗୁଁ କାଉନସିଲ ବୈଠକ ଗୃହ ତ୍ୟାଗ କରିଥିଲେ ଶାସକ ଦଳର କର୍ପୋରେଟର ।
ବୁଧବାର କଟକ ମହାନଗର ନିଗମର ୧୨ ତମ କାଉନସିଲ ବୈଠକ ବସିଥିଲା । ଗୃହ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧି ଦଳ କର୍ପୋର୍ଟର । ବୈଠକ ଆରମ୍ଭରୁ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର ମାନେ ବିରୋଧ କରିବା ସହ ଗୃହର ତଳେ ବସି ଧାରଣା ଦେଇଥିଲେ । କେବଳ ସେତିକି ନୁହେଁ ମେୟର ଓ କମିଶନରଙ୍କ ବିରୋଧରେ ନାରାବାଜି କରିଥିଲେ । ପଙ୍କ ଉଦ୍ଧାର, ମୋ ୱାର୍ଡ କାର୍ଯ୍ୟକ୍ରମ, ଜେଇ ନିଲମ୍ବନ ପ୍ରସଙ୍ଗ, ବସ୍ତି ସମସ୍ୟା ଆଦିକୁ ନେଇ ନାରାବାଜି ଦେଇଥିଲେ ବିରୋଧୀ କର୍ପୋରେଟର । ମେୟରଙ୍କ ମନମାନି ବିରୋଧରେ ନାରାବାଜି ଦେବାରୁ କମ୍ପି ଉଠିଥିଲା କାଉନସିଲ ଗୃହ । ଏହା ପରେ ଶାସକ ଦଳର କର୍ପୋରେଟର ମାନଙ୍କ ସହ ମୁହାଁମୁହିଁ ହେବା ଭଳି ପରିସ୍ଥିତି ବି ସୃଷ୍ଟି ହୋଇଥିଲା । ତେବେ ବିରୋଧୀ କର୍ପୋରେଟରଙ୍କ ବିନା ଉପସ୍ଥିତିରେ ସମସ୍ତ ବିଲ ପାସ କରି ମେୟର ଓ କମିଶନର ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ।