ନିଆଳି:ବର୍ଷ ବର୍ଷ ଧରି ଗାଁ ଦାଣ୍ଡରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ମଶାଙ୍କ ବଂଶ ବୃଦ୍ଧି ସାଙ୍ଗକୁ ପାଣିରେ ଯିବା ଆସିବା କଲେ ଦେହରେ ଫଳି ଯାଉଥିବା ନେଇ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏନେଇ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି 5T ସଚିବ ପର୍ଯ୍ୟନ୍ତ ଅଭିଯୋଗ ସତ୍ତ୍ବେ କୌଣସି ସମାଧାନ ହୋଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ଭାପୁର ପଞ୍ଚୟତ ଅଧିନରେ ରହିଛି ୫, ୬ ଓ ୭ ନମ୍ବର ଓ୍ବାର୍ଡ । ୫ ନମ୍ବର ଓ୍ବାର୍ଡର ଦିଆନିପାଟଣାର ଗ୍ରାମଦାଣ୍ଡରେ ବର୍ଜ୍ୟଜଳ ନିଷ୍କାସିତ ନହୋଇ ଗାଁ ଦାଣ୍ଡରେ ଜମି ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗ୍ରାମରେ ବର୍ଷସାରା ଏଭଳି ଅବସ୍ଥା ଲାଗି ରହୁଥିବା ନେଇ ଅଭିଯୋଗ ହୋଇଛି । ବର୍ଷାଦିନେ ଏହାର ପରିମାଣ ବୃଦ୍ଧି ପାଉଛି । ତେଣୁ ଏହି ପ୍ରଦୂଷିତ ଜଳରେ ସର୍ବଦା ମଶା, ମାଛିଙ୍କର ବଂଶବୃଦ୍ଧି ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି । ଉକ୍ତ ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ହଇରାଣ ହେଉଛନ୍ତି । ସେହିପରି ଆଣ୍ଠୁଏ ଉଚ୍ଚରେ ପାଣି ଜମିବା କାରଣରୁ ଏହି ପାଣିରେ ଯିବା ଆସିବା କରିବା ଦ୍ବାରା ହାତଗୋଡ଼ ଫଳି ଯାଉଥିବା ବେଳେ ମଶାଙ୍କ ଯୋଗୁଁ ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ ହୋଇଛି ।