ଓଡିଶା

odisha

ETV Bharat / state

କେଉଁଠି ବିକାଶ ? ଆଣ୍ଠୁଏ କାଦୁଅରେ ଯାଆସ କରୁଛନ୍ତି ଲୋକେ, ଗୁହାରି ଶୁଣୁନି ପ୍ରଶାସନ - ନିଆଳି ବ୍ଲକରେ ରାସ୍ତା ସମସ୍ୟା

ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ଖଣ୍ଡିଏ ପାଇଲେନି ଗ୍ରାମବାସୀ । କଟକ ଜିଲ୍ଲା ନିଆଳି ବ୍ଲକର ଅଲଣା ପଞ୍ଚାୟତର ଓଳାଂଶ ଓ ବିଳାଶୁଣୀ ପଞ୍ଚାୟତର ତରବଣ ଗାଁର ରାସ୍ତାର ଅବସ୍ଥା ଦେଖିଲେ ଗାଁରେ ରହୁଥିବା ଲୋକମାନଙ୍କ ବନ୍ଧୁ ବାନ୍ଧବ ତ ଦୂରର କଥା, ଯମ ମଧ୍ୟ ଯିବାକୁ ମୁହଁ ମୋଡ଼ିବ । ଅଧିକ ପଢ଼ନ୍ତୁ

ଆଣ୍ଠୁଏ କାଦୁଅରେ ଯିବା ଆସିବା କରୁଛନ୍ତି ଲୋକେ
ଆଣ୍ଠୁଏ କାଦୁଅରେ ଯିବା ଆସିବା କରୁଛନ୍ତି ଲୋକେ

By

Published : Aug 15, 2023, 8:07 PM IST

ଆଣ୍ଠୁଏ କାଦୁଅରେ ଯିବା ଆସିବା କରୁଛନ୍ତି ଲୋକେ

ନିଆଳି: ଆଜି ସାରା ଦେଶ ପାଳନ କରୁଛି ୭୭ ବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବ ।‌ ଗାଁଠାରୁ ସହର ସବୁଠି ବିକାଶର ନାରା । ହେଲେ ସତରେ କଣ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି ବିକାଶ ? ନାଇଁ ଆଜ୍ଞା, ଏବେ ବି ଲୋକମାନେ ଯାତାୟତ ପାଇଁ ଆଣ୍ଠୁଏ କାଦୁଅ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏଭଳି ସମସ୍ୟା ମାସେ କି ବର୍ଷକର ନୁହେଁ, ବର୍ଷ ବର୍ଷରୁ ଏହି ସମସ୍ୟା ଦେଇ ଗତି କରୁଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକର ଦୁଇଟି ପଞ୍ଚାୟତର ଦୁଇଟି ୱାର୍ଡର ଗ୍ରାମବାସୀ । ନିଆଳି ବ୍ଲକର ଅଲଣା ପଞ୍ଚାୟତର ଓଳାଂଶ ଓ ବିଳାଶୁଣୀ ପଞ୍ଚାୟତର ତରବଣ ଗାଁର ରାସ୍ତାର ଅବସ୍ଥା ଦେଖିଲେ ଗାଁରେ ରହୁଥିବା ଲୋକମାନଙ୍କ ବନ୍ଧୁ ବାନ୍ଧବ ତ ଦୂରର କଥା, ଯମ ମଧ୍ୟ ଯିବାକୁ ମୁହଁ ମୋଡ଼ିବ ।

କଟକ ଜିଲ୍ଲା ନିଆଳି ବ୍ଲକର ଅଲଣା ପଞ୍ଚାୟତ ଅନ୍ତର୍ଗତ ୨୩ ନମ୍ବର ଓଳାଂଶ ଗାଁକୁ ରାସ୍ତା ଅସରାଏ ବର୍ଷା ହେଲେ କାଦୁଅରେ ଭର୍ତ୍ତି ହୋଇଯାଏ । ଆଉ ବର୍ଷାଦିନ ଆସିଲେ ଅବସ୍ଥା ଆହୁରି ସଙ୍ଗୀନ । ଏହି ରାସ୍ତାରେ ୧୫ ବର୍ଷ ତଳେ ମନରେଗା ଯୋଜନାରେ ମାଟି ମୁଠାଏ ପଡ଼ିଥିଲା । ଆଉ ତା' ପରେ ଗାଁକୁ ନିର୍ମାଣ ହୋଇପାରିନାହିଁ ପକ୍କା ରାସ୍ତା । ରୋଗୀ ଠାରୁ ଆରମ୍ଭ କରି ସ୍କୁଲ୍ ଛାତ୍ରଛାତ୍ରୀ ଏବଂ କୃଷକମାନଙ୍କ ଅବସ୍ଥା କ'ଣ ହେଉଥିବ ଏଇଠୁ ଅନୁମାନ ଲଗାନ୍ତୁ । ଓଳାଂଶ ଗ୍ରାମର ବାସିନ୍ଦା ସଂଯୁକ୍ତା ସ୍ବାଇଁଙ୍କ ଅଭିଯୋଗ, "ଆମେ ଭୋଟ ଦେଲୁ ଶଙ୍ଖରେ, ଚାଲୁଛୁ ଜଙ୍ଘେ ପଙ୍କରେ । କେହି ଶୁଣୁ ନାହାନ୍ତି ଗୁହାରି । ନିଆଳି ବ୍ଲକ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥାଇ ଆମ ଗାଁକୁ ପକ୍କା ରାସ୍ତା ହୋଇପାରୁନାହିଁ ।" ସେହିପରି ସ୍ବାଧୀନତା ମାନେ କ'ଣ ଆମେ ବୁଝିପାରିନାହୁଁ ବୋଲି କହିଛନ୍ତି ଅଲଣା ପଞ୍ଚାୟତର ଓଳାଂଶ ଗ୍ରାମବାସୀ ବିଚିତ୍ରାନନ୍ଦ ସ୍ବାଇଁ ।‌

ଏହା ମଧ୍ୟ ପଢ଼ନ୍ତୁ...ଶିକ୍ଷାରେ ବାଧା ସାଜିଛି ରାସ୍ତା, ପାଠପଢାରୁ ବଞ୍ଚିତ ଡୁମୁରିପଦର ଗାଁ

ସେହିପରି ସମାନ ଅବସ୍ଥା ହେଉଛି ନିଆଳି ବ୍ଲକ ବିଳାଶୁଣୀ ପଞ୍ଚାୟତର ତରବଣ ୧୧ ନମ୍ବର ୱାର୍ଡର ରାସ୍ତା । ମନରେଗା ଯୋଜନାରେ ମାଟି ପକାଇ ଦେଇ ଦାୟିତ୍ଵ ସାରିଦେଇଛି ନିଆଳି ବ୍ଲକ ପ୍ରଶାସନ । ଏହି ରାସ୍ତା ଦେଇ ଗାଁ ଶଶ୍ମାନ, ଧାନ ଜମିକୁ ଯିବାକୁ ହେଲେ ଆଣ୍ଠୁଏ ପଙ୍କରେ ଯିବାପାଇଁ ବାଧ୍ୟ । ଏହି ସମସ୍ୟା ବର୍ଷ ବର୍ଷ ଧରି ତରବଣ ଓ ଆଖପାଖ ଅଞ୍ଚଳର ଲୋକମାନେ ଭୋଗୁଛନ୍ତି । କିନ୍ତୁ ମାଟି ରାସ୍ତା ପକ୍କା ହୋଇପାରୁନାହିଁ । ଫଳରେ ତରବଣ ଗାଁରେ ଅସନ୍ତୋଷ ଦାନା ବାନ୍ଧୁଛି । ଯେତେବେଳେ ରାଜ୍ୟ ସରକାର ମା' କୁ ସମ୍ମାନ ଓ ଗାଁକୁ କାମ ନାରା ଦେଇ ଶାସନ କରୁଛନ୍ତି, ତେବେ ଅଲଣା ପଞ୍ଚାୟତର ଓଳାଂଶ ଓ ବିଳାଶୁଣୀ ପଞ୍ଚାୟତର ତରବଣ ଗାଁ ରାସ୍ତାର ଏଭଳି ଅବସ୍ଥା ସରକାରଙ୍କ ନାରାର ବାସ୍ତବତା ପ୍ରକାଶ କରୁଛି । ତୁରନ୍ତ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଲୋକମାନଙ୍କ ଯାତାୟତ ପାଇଁ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details