ନିଆଳି: ପୂର୍ତ୍ତ ବିଭାଗର ସରକାରୀ ଡାକ ବଙ୍ଗଳା ରାସ୍ତା ଅବରୋଧ ଯୋଗୁ ସାଧାରଣ ପ୍ରକାଶ ପାଇଛି ଅସନ୍ତୋଷ। ନିଆଳି ବଜାର ଓ ଆଖପାଖ ଅଞ୍ଚଳର ସରକାରୀ ଜମି ଜବରଦଖଲ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲ୍ଲାପାଳ ଏବଂ ନିଆଳି ତହସିଲଦାରଙ୍କୁ ଅଭିଯୋଗ କରି ନିରାଶ ହୋଇଛନ୍ତି । ସେପଟେ ଗ୍ରାମବାସୀଙ୍କଠାରୁ ଖବର ପାଇବା ପରେ ପ୍ରତିକ୍ରିୟା ପାଇଁ ଯାଇଥିବା ଗଣମାଧ୍ୟମ ଉପରେ ରାଗି ଖପ୍ପା ହୋଇଛନ୍ତି ନିଆଳି ତହସିଲଦାର । 2020 ମସିହା ଫେବୃଆରୀରୁ ନିଆଳି ତହସିଲଦାର ଭାବରେ ବିଦ୍ଯାଧର ପତି କାର୍ଯ୍ୟ କରୁଛନ୍ତି । ହେଲେ 3 ବର୍ଷ ପରେ ବି ବଦଳି ହେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ତହସିଲ କାର୍ଯ୍ୟାଳୟକୁ ଲାଗି ରହିଛି ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ତଥା ପୂର୍ତ୍ତ ବିଭାଗ ଡାକବଙ୍ଗଳା । ଏହି ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ରହିଥିବା ରାସ୍ତାରେ ନାଲି ମୋରମ ବିଛାଯାଇଥିବାବେଳେ ଏହି ରାସ୍ତା ଦେଇ ସାଧାରଣ ଲୋକେ ଏବଂ ସରକାରୀ ଅଧିକାରୀମାନଙ୍କ ଯାତାୟତରେ ସମସ୍ୟା ଉପୁଜୁଛି । ଏହି ରାସ୍ତା କଡ଼ରେ ଏବେ ଗଢ଼ି ଉଠିଛି ଦୋକାନ ଗୃହ । ତେବେ ଏହି ରାସ୍ତା ଅବରୋଧ ଓ ଦୋକାନ ଗୃହ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବାରୁ ତେଜିଛି ବିରୋଧାଭାଷ । ଆଜି ଅଞ୍ଚଳବାସୀ ଏନେଇ ବିରୋଧ କରିବା ସହିତ ନିଆଳି ତହସିଲଦାର ବିଦ୍ୟାଧର ପତିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । "କେଉଁ ପରିସ୍ଥିତିରେ ସରକାରୀ ରାସ୍ତାରେ ତହସିଲଦାର ପାଚେରୀକୁ ଲାଗି ଦୋକାନ ଗୃହ ନିର୍ମାଣ ହୋଇଛି ? ଏ ଦିଗରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ?" ଏଭଳି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ତେବେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ତଥା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତା ଶଙ୍କୁଚିତ ହେଉଥିବା ଦେଖିବାକୁ ମିଳିଛି ।