ଓଡିଶା

odisha

ETV Bharat / state

ସ୍କୁଲ ଛାତ୍ରଛାତ୍ରୀମାନେ ଗାଡି ଚଳାଉଛନ୍ତି କି ? ଧରାପଡ଼ିଲେ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବନି ଲାଇସେନ୍ସ - ସ୍କୁଲ ଛାତ୍ରଛାତ୍ରୀ ଓ ମଦ୍ୟପ ଡ୍ରାଇଭରଙ୍କ ଉପରେ ରହିବ ନଜର

ଆସନ୍ତାକାଲିଠାରୁ ଯାଞ୍ଚ କଡାକଡି କରିବ ପରିବହନ ବିଭାଗ । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଓ ମଦ୍ୟପ ଡ୍ରାଇଭରଙ୍କ ଉପରେ ରହିବ ନଜର । ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାନେଇ ସୂଚନା ଦେଲେ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ଠାରୁ ଯାଞ୍ଚ କଡାକଡି କରିବ ପରିବହନ ବିଭାଗ
ଆସନ୍ତାକାଲି ଠାରୁ ଯାଞ୍ଚ କଡାକଡି କରିବ ପରିବହନ ବିଭାଗ

By

Published : Mar 27, 2023, 3:49 PM IST

Updated : Mar 27, 2023, 8:04 PM IST

ଆସନ୍ତାକାଲି ଠାରୁ ଯାଞ୍ଚ କଡାକଡି କରିବ ପରିବହନ ବିଭାଗ

କଟକ: ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ଆସନ୍ତାକାଲି ଠାରୁ ଯାଞ୍ଚ କଡାକଡି କରିବ ପରିବହନ ବିଭାଗ । ଧରା ପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପରିବହନ ବିଭାଗ ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଛାତ୍ରଛାତ୍ରୀ ମାନେ ଯଦି ଗାଡି ଚଳାଇବା ସମୟରେ ଧରା ପଡନ୍ତି, ତେବେ ସେମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ସେହିପରି ସେମାନେ ଚଳାଉଥିବା ଗାଡିକୁ ଜବତ କରାଯିବା ସହ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । କେବଳ ସେତିକି ନୁହେଁ, ଗାଡି ମାଲିକଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ।

ଦୁର୍ଘଟଣା ରୋକିବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିବ ରାଜ୍ୟ ପରିବହନ ବିଭାଗ । ସବୁଠାରୁ ବଡ଼ କଥା ହେଉଛି, ଛାତ୍ରଛାତ୍ରୀ କେଉଁ ପ୍ରକାର ଗାଡି ଚଳାଇବେ, ସେନେଇ ମଧ୍ୟ ସୂଚନା ଦେଇଛନ୍ତି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର । ସେହିପରି ମଦ୍ୟପାନ କରି ଗାଡି ଚଳାଉଥିଲେ ବି ଏଣିକି କଡା କାର୍ଯ୍ୟାନୁଷ୍ଠାନ ନେବ ବିଭାଗ । ତେବେ ଆସନ୍ତାକାଲି ଠାରୁ ଚେକିଂ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗତ ୩ ଦିନ ମଧ୍ୟରେ ୭୬୩ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି ।

ସେହିଭଳି ମଦ୍ୟପାନ କରି ଗାଡି ଚଳାଇବା ସମୟରେ ଧରା ପଡ଼ିଲେ ଏଣିକି କେବଳ ଫାଇନ ନୁହେଁ ବରଂ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସଡକ ଦୁର୍ଘଟଣା ରୋକିବାକୁ ଏଭଳି ଚରମ ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ଦିନକୁ ଦିନ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇବାର ଲାଗିଛି । ବିଶେଷକରି ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ସରକାରୀ ତଥ୍ୟ ଅନୁସାରେ ବିଗତ ଦଶ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ପ୍ରାୟ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗତ ୨୦୨୧ ମସିହାରେ ୫ ହଜାର ୮୧ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେଥି ମଧ୍ୟରୁ ଅଧିକ ବେଗରେ ଗାଡି ଚାଳନା କରି ୩ ହଜାର ୬ ଶହ ୯୫ ଜଣଙ୍କର ମୃତ୍ୟୁ ଘଟିଛି । ୨୦୨୨ରେ ୫ ହଜାର ୪ ଶହ ୬୭ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସଡକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ରୋକିବା ଲାଗି ରାଜ୍ୟ ପରିବହନ ବିଭାଗ ଅନେକ କାର୍ଯ୍ୟପନ୍ଥା ଆପଣାଇଛି । ମଦ୍ୟପଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି ବୋଲି ପରିବହନ ବିଭାଗ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

ବିଗତ ବର୍ଷେ ମଧ୍ୟରେ ପାଖାପାଖି ୧୯ ହଜାର ୩୧୮ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେମାନଙ୍କଠାରୁ ମଧ୍ୟ ଫାଇନ ମଧ୍ୟ ଆଦାୟ କରାଯାଇଛି । ତେବେ ମଦ୍ୟପ ଡ୍ରାଇଭରମାନଙ୍କ ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ୩ ଦିନ କଡା ଚେକିଂ କରାଯିବ । ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହିପରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଫଳରେ ସଡକ ଦୁର୍ଘଟଣାକୁ ରୋକା ଯାଇପାରିବ ବୋଲି ଅତିରିକ୍ତ କମିଶନର କହିଛନ୍ତି । ତେବେ ମଦ୍ୟପାନ କରି ଗାଡି ଚାଳନା ନକରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଗକୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛି ବିଭାଗ । ବିଶେଷକରି ପୋଲିସ ଆଉ ପରିବହନ ବିଭାଗର ମିଳିତ ସହଯୋଗରେ ରାସ୍ତା ପାର୍ଶ୍ଵରେ ଥିବା ମଦ ଦୋକାନ ନିକଟରେ କଡାକଡି ଚେକିଂ କରାଯିବ । ସହରାଞ୍ଚଳରେ ରବିବାର, ବୁଧବାର ଏବଂ ଶୁକ୍ରବାର ଚେକିଂକୁ କଡାକଡି କରାଯିବ ବୋଲି ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର କହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Mar 27, 2023, 8:04 PM IST

For All Latest Updates

ABOUT THE AUTHOR

...view details