କଟକ: ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଚେକିଂ ପ୍ରକ୍ରିୟା କଡ଼ାକଡ଼ି କରିଛି ରାଜ୍ୟ ସଡକ ଓ ପରିବହନ ବିଭାଗ । ଏହି କ୍ରମରେ ସାରା ରାଜ୍ୟରେ ଚେକିଂ ପ୍ରକ୍ରିୟାକୁ କଡାକଡି କରାଯାଇଛି । କଟକ, ଭୁବନେଶ୍ୱର, ରାଉରକେଲା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚେକିଂ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ବିଶେଷ କରି ୧୮ ବର୍ଷରୁ କମ ବୟସର ଛାତ୍ରଛାତ୍ରୀ ମାନେ ଚଳାଉଥିବା ଗାଡିଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପରିବହନ ବିଭାଗ ।
ଖବର ଲେଖା ହେବା ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ସାରା ରାଜ୍ୟରେ ପ୍ରାୟ ୫୦ରୁ ଅଧିକ ୧୮ ବର୍ଷରୁ କମ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କ ଗାଡିକୁ ଜବତ କରିବା ସହ ସେମାନଙ୍କଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । କେବଳ ସେତିକି ନୁହେଁ, ଅନେକ ଅଭିଭାବକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିବା ପରିବହନ ବିଭାଗର ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି । ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଚେକିଂ ପ୍ରକ୍ରିୟା ସବୁ ଦିନ ଜାରି ରହିବ । ୧୮ ବର୍ଷରୁ କମ୍ ଚାଳକଙ୍କ ସମେତ ହେଲମେଟ ନପିନ୍ଧିଲେ କିମ୍ବା ନିଶା ସେବନ କରି ଗାଡି ଚଳାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।