ନିଆଳି:ଦୃଢ ମନୋବଳ ଏବଂ କାର୍ଯ୍ୟ ଦକ୍ଷତା ଆଗରେ ହାର୍ ମାନିଛି ବୟସ । ବୟସର ଅପରାହ୍ନରେ କୃଷକ ତଥା ସମାଜ ପାଇଁ ଉଦାହରଣ ସାଜିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ଗାଁର ଅବସରପ୍ରାପ୍ତ ଶିକ୍ଷକ ନଟବର ଷଡଙ୍ଗୀ । ୩୦ ବର୍ଷର ଶିକ୍ଷକତା ପରେ ସେ ଜୀବନର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ୧୯୯୬ ମସିହାରୁ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ସେ ୭ ଶହ ପ୍ରକାର ଦେଶୀ ବିହନ ସଂଗ୍ରହ କରିଛନ୍ତି । ଜୈବିକ ପଦ୍ଧତିରେ ଧାନ ଚାଷ କରିବା ସହ ଚାଷୀଙ୍କୁ ତାଲିମ୍ ଦେଉଛନ୍ତି । କେବଳ ବିହନ ସଂଗ୍ରହ ନୁହେଁ, କିପରି ଜୈବିକ ପଦ୍ଧତିରେ ଅଧିକରୁ ଅଧିକ ଫସଲ ଅମଳ ହୋଇପାରିବ ସେନେଇ ୨୫ ବର୍ଷ ହେଲା ଅହରହ ସଂଗ୍ରାମ ଜାରି ରଖିଛନ୍ତି ନଟବର ।
୩୦ ବର୍ଷ କାଳ ଶିକ୍ଷକତା କରିବା ପରେ ୧୯୯୪ ମସିହାରେ ପ୍ରଥମେ ନିଜ ଜମିରେ ଜୈବିକ ଚାଷ ଆରମ୍ଭ କରିଥିଲେ ନଟବର ଷଡଙ୍ଗୀ । ଏଥିପାଇଁ ବିଭିନ୍ନ ରାଜ୍ୟ ବୁଲି ବିହନ ସଂଗ୍ରହ କଲେ । ବିହନ ସଂଗ୍ରହ କରୁ କରୁ ପୁରାତନ କୃଷି ସରଞ୍ଜାମ ଓ ନାନା ଗ୍ରାମୀଣ ସାମଗ୍ରୀ ସଂଗ୍ରହ କରିବା ତାଙ୍କ ନିଶାରେ ପଡିଗଲା । ସାରା ଭାରତବର୍ଷରୁ ୭୦୦ ରୁ ଅଧିକ ଦେଶୀ ବିହନ ସଂଗ୍ରହ କରିବା ପରେ 'ରାଜେନ୍ଦ୍ର ଦେଶୀ ଧାନ ଗବେଷଣା' ନାମରେ କେନ୍ଦ୍ରଟିଏ ନିର୍ମାଣ କଲେ । ଗବେଷଣା କେନ୍ଦ୍ର ସାଙ୍ଗକୁ ସେ ଏକ ସଂଗ୍ରହାଳୟ ଏବଂ ପାଠାଗାର ମଧ୍ୟ ତିଆରି କରିଛନ୍ତି । ଯେଉଁଠି ନାନା ପ୍ରକାର ବିହନ ସାଙ୍ଗକୁ, ବିଭିନ୍ନ ତେଲ, ମୃତ୍ତିକା, ହଳ, ଲଙ୍ଗଳ, ପୁରୁଣା ମୁଦ୍ରା, କୃଷି ଜାତୀୟ ଦ୍ରବ୍ୟ, ବିଭିନ୍ନ କାଠ ଏବଂ ଦେଶବିଦେଶକୁ ନାନା କୃଷି ସମ୍ବନ୍ଧୀୟ ପୁସ୍ତକ ଆଣି ସାଇତି ରହିଛନ୍ତି ।
ନଟବର ଓଡ଼ିଶା, ପଶ୍ଚିମବଙ୍ଗର, ଛତିଶଗଡ଼, ଆନ୍ଧ୍ର, ତାମିଲନାଡୁ,କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଆସାମ, ପଞ୍ଜାବ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ ଭଳି ରାଜ୍ୟରୁ ଦେଶୀ ଧାନ ସଂଗ୍ରହ କରିପାରିଛନ୍ତି । ମିରିଗିଶିଆଳି, ରାଜବଲ୍ଲବ, ଭୂତିଆ, ଚମ୍ପା, ରତ୍ନଚୁଡି, ମଇପାଲ, ବାଲାମ, ବ୍ରଜକେଶରୀ, ଶାଳଫୁଲ, ଗୋବିନ୍ଦ ଭୋଗ, କଳାଜିରା, ଶୋଲରି, ତୁଳସିଭୋଗ, ସିଆର ୧୦୧୪, ସିଆର ୧୨୪୨, ସିଆର ୧୪୨ କିସର ଦେଶୀ ଧାନ ପ୍ରଭୃତି ଅନ୍ତର୍ଭୁକ୍ତ । ନଟବରଙ୍କ କହିବା କଥା କଳାଜିରା ଧାନ ବିହନକୁ ଜୈବିକ ପଦ୍ଧତିରେ ଚାଷ କଲେ ଏକ ଏକରରେ ୩୫ କ୍ବିଇଣ୍ଟାଲ ଧାନ ଅମଳ ହୋଇଥାଏ ।