କଟକ:ଦାବି ପୂରଣ ନ ହେଲେ ଗଡିବନି ବସ୍ । ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ(Private Bus Owners Association warns of strike) । ଆସନ୍ତା ଜାନୁଆରୀ ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ସ୍ଥାନକୁ ଘରୋଇ ବସ୍ ଚଳାଚଳ କରିବ ନାହିଁ । ବୁଧବାର ଏନେଇ ଏକ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବସ୍ ମାଲିକମାନେ ରାଜ୍ୟ ସରକାରଙ୍କ ସ୍କ୍ରାପିଂ ପଲିସିକୁ ବିରୋଧ କରିଛନ୍ତି ।
ଏହାସହିତ ୮ ଦଫା ଦାବି ପୂରଣ ନହେଲେ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ କମିସନର ବସ୍ ଚଲେଇବା ପାଇଁ ନିର୍ଦ୍ଧାରଣ କରିଥିବା ସମୟସୀମା ଅନୁସାରେ ଫିଟ ଗାଡିକୁ ପରମିଟ ନମିଳିବା, ସ୍ଲିପର କୋଚ ଗୁଡିକୁ ଦିନବେଳା ଚଳାଇବାକୁ ଅନୁମତି ନମିଳିବା, ମଙ୍ଗୁଳି- ସମ୍ବଲପୁର ଓ ବଲାଙ୍ଗୀର ବରଗଡ଼ ରାସ୍ତା ମରାମତି ତୁରନ୍ତ ଶେଷ କରିବା ଭଳି ୮ ଦଫା ଦାବି ନେଇ ଘର ବସ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ।