ଇଦ୍ ପାଳନ ପାଇଁ କଟକରେ ପ୍ରସ୍ତୁତି କଟକ: ମୁସଲମାନ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍ ଉଲ୍ ଫିତର । ଆନନ୍ଦ ଉଲ୍ଲାସର ପର୍ବ ଇଦ୍ ପାଳନ କରିବେ ମୁସଲମାନ ସମ୍ପ୍ରଦାୟ । ଏଥିପାଇଁ ଚଳଚଞ୍ଚଳ ରହିଛି ସବୁ ସହର । ଇଦ୍ ପାଳନ ପାଇଁ ଭାଇଚାରାର ସହର କଟକ ମଧ୍ୟ ସଜେଇ ହେଲାଣି । ସୁସଜ୍ଜିତ ଆଲୋକ ମାଳାରେ ଝଲସିଲାଣି ସହରର ମସଜିଦ୍ । ଇଦ୍ ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପବିତ୍ର ରମଜାନରେ ମାସଯାକର ରୋଜା ପରେ ଇଦରେ ଘରେଘରେ ଜମିବ ଖାଇବା ପିଇବାର ଆସର । ତେଣୁ ବଜାର ଘାଟରେ ପ୍ରବଳ ଭିଡ ଲାଗୁଛି । ନୂଆ ପୋଷାକ କିଣା କିଣି ସହ, ଖଜୁର ଲଚ୍ଛା, ଅତର ଦୋକାନରେ ମୁସଲିମ ଭାଇ ଭଉଣୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି ।
ଏହା ବି ପଢ଼ନ୍ତୁGuddu Muslim Odisha Link: ବରଗଡରେ UP STFର ତନାଘନା, DGP ଡାକିଲେ ଏମରଜିନ୍ସି ବୈଠକ
ଆଜି ସାଉଦି ଆରବରେ ଇଦ ପାଳନ ହେଉଛି । ଆଜି ଚାନ୍ଦ କମିଟିର ବୈଠକ କଟକରେ ଅନୁଷ୍ଠିତ ହେବ । ଯଦି ଆଜି ଚାନ୍ଦ ଦର୍ଶନ ହୁଏ ତେବେ ଆସନ୍ତାକାଲି ଇଦ ପାଳନ ହେବ ବୋଲି କହିଛନ୍ତି କଦମ-ଏ-ରସୁଲ ପରିଚାଳନା କମିଟି ସଭାପତି ରମଜାନ ଖାଁ । ଅନ୍ୟପଟେ ଇଦ ପାଇଁ ବଜାରରେ ମେଲିଛି ଦେଶୀ ବିଦେଶୀ ସାମଗ୍ରୀର ପସରା । ଅତର, ସୁରମାଠାରୁ ଆରମ୍ଭ କରି ଖଜୁର, ଲଚ୍ଛା, ଫାଲୁଦା, ସରବତ୍ ଯାଏଁ କିଣାକିଣି ପାଇଁ ଏବେ ଇଦ୍ ମାର୍କେଟ ଚଳଚଞ୍ଚଳ ରହିଛି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମୁମ୍ବାଇ, କଲିକତା ସହ ଟ୍ୟୁନିସିଆ, ଇରାକ ଓ ସାଉଦି ଆରବ, ଆଫଗାନିସ୍ତାନରୁ ଆସିଛି ଭଳିକି ଭଳି ସାମଗ୍ରୀ । ବିଶେଷକରି କୋଲକାତାର ପ୍ରସିଦ୍ଧ କରୋଡିଆ ଆଫଲାତୁନ, ଗାଜର ହାଲୁଆ ଏବଂ ମସାକ୍ ହାଲୁଆ ଅଧିକ ଡ଼ିମାଣ୍ଡରେ ରହିଛି ।
ଏହାସହ ଆଜମେରୀ, ମଦିନା ଏବଂ ବରେଲି ଟୋପି ସହ 70 ପ୍ରକାରର ଅତର ବିଭିନ୍ନ ଦେଶରୁ ଆସିଛି ବଜାରକୁ । ଦର ଭଲ ରହିଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ । ଏହାସହ କଟକର ଥିବା ପ୍ରମୁଖ ମସଜିଦ ଯେପରି କଦମ-ଏ-ରସୁଲ, ଇଦ୍ଗା , ବଡି ମସଜିଦ , ଛୋଟୀ ମସଜିଦ, ପଲଟନ ମସଜିଦ, ଜାମା ମସଜିଦ ଆଦିରେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ପବିତ୍ର ଦିନ ପାଇଁ କଟକ ସହର ଉତ୍ସବ ମୁଖର ରହିଛି ।
ଇଟିଭି ଭାରତ, କଟକ