ନିଆଳି: କଟକ ଜିଲ୍ଲା ନିଆଳି ଗରିମାମୟ ଇତିହାସର ମୂକ ସାକ୍ଷୀ ନୌବାଣିଜ୍ୟର ପ୍ରତୀକ ପୁଣ୍ୟତୋୟା ପ୍ରାଚୀ । ପୁନରୁଦ୍ଧାର ନହେବା ଯୋଗୁଁ ଐତିହାସିକ ପ୍ରାଚୀ ନଦୀ ଏବେ ମୃତପ୍ରାୟ । ମହାନଦୀରୁ ଜୀବନ ଲାଭ କରିଥିବା ଏହି ପବିତ୍ର ନଦୀ ଦିନେ କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଜୀବନ ରେଖା ଥିଲା । ଅତୀତରେ ଜଳପଥରେ ଗମନାଗମନ ଓ ବାଣିଜ୍ୟ ପରିବହନ ପାଇଁ ପ୍ରାଚୀ ନଦୀର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ହେଲେ ପ୍ରଶାସନ ଏହି ଐତିହ୍ୟପୂର୍ଣ୍ଣ ନଦୀକୁ ଭୁଲି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଅବହେଳିତ ପୁଣ୍ୟତୋୟା ପ୍ରାଚୀ ନଦୀ, ବିଲୁପ୍ତ ହେବାକୁ ବସିଛି ଜୀବନ ରେଖା - ବିଲୁପ୍ତ ହେବାରେ ବସିଛି ପୁଣ୍ୟତୋୟା ପ୍ରାଚୀ
ବିଲୁପ୍ତ ହେବାରେ ବସିଛି ପୁଣ୍ୟତୋୟା ପ୍ରାଚୀ । ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଦାବି ଜୋର ଧରିଛି । ଅଧିକ ପଢ଼ନ୍ତୁ

ପ୍ରାଚୀ ନଦୀ କୂଳରେ ଅଷ୍ଟଶମ୍ଭୁ ବିରାଜମାନ । ଏଠାରେ ଚିତ୍ରେଶ୍ବରୀ ଓ କୋଣାର୍କ ନାମରେ ଦୁଇଟି ପ୍ରସିଦ୍ଧ ପ୍ରାକୃତିକ ବନ୍ଦର ଥିଲା ବୋଲି ଚର୍ଚ୍ଚା ହୁଏ । ସାଧବ ଓ ବଣିକମାନେ ଏହାର ଜଳପଥ ଦେଇ ସମୁଦ୍ରକୁ ପ୍ରବେଶ କରି ସୁଦୂର ବାର୍ଲି, ସୁମାତ୍ରା, ସିଂହଳ, ପ୍ରଭୃତି ଦେଶକୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ । ନଦୀ କୂଳରେ ପିଣ୍ଡ ଦାନ ଓ ଅସ୍ତି ବିସର୍ଜନ କରାଯାଉଛି । ହଜାରହଜାର ବର୍ଷ ତଳୁ ଏହି ପରମ୍ପରା ପ୍ରଚଳିତ । ଗଙ୍ଗାଠାରୁ ଶହେ ବର୍ଷ ପ୍ରାଚୀନ ବୋଲି ପଦ୍ମ ପୁରାଣ ଓ ସ୍କନ୍ଧ ପୁରାଣରେ ବର୍ଣ୍ଣିତ ହୋଇଛି । ପ୍ରାଚୀ ନଦୀ ଉପତ୍ୟକାରେ ଗୁପ୍ତ ଯୁଗ ସମୟରୁ ମାନବ ସଭ୍ୟତା ଗଢି ଉଠିଥିବା ମଧ୍ୟ ସୂଚନା ରହିଛି । ଗୁପ୍ତ ଯୁଗଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ଶକ୍ତି, ଶାକ୍ତ, ଶୈବ, ଇସଲାମ ପ୍ରଭୃତି ଧର୍ମାବଲମ୍ବୀ ଲୋକ ବସବାସ କରୁଥିବା ସମୟରେ ଶହଶହ କାରୁକାର୍ଯ୍ୟ ପୂର୍ଣ୍ଣ ମଠ, ମନ୍ଦିର, ସ୍ତୁପ, ମସଜିଦ, ବାମ୍ପି, ଜଳାଶୟ ନିର୍ମାଣ କରିଥିବା ଇତିହାସ କହେ । ଯାହା ଏବେ ସରକାରଙ୍କ ଉଦାସୀନତା କାରଣରୁ ବିଲୁପ୍ତ ପ୍ରାୟ ହୋଇଥିବା ଅଭିଯୋଗ ହୋଇଛି ।
ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ପ୍ରାଚୀ ନଦୀ ଶଯ୍ୟାକୁ ପ୍ରଭାବଶାଳୀ ବ୍ୟକ୍ତି ମାନେ ଜବରଦଖଲ କରିଛନ୍ତି । ବିଭିନ୍ନ ସମୟରେ ପ୍ରାଚୀ ନଦୀକୁ ପୁନଃ ଜୀବିତ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରୁନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହକାରେ ନେଇ ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି ।" ପ୍ରାଚୀ ନଦୀ ପୁନଃ ଉଦ୍ଧାର ଉଦ୍ଦେଶ୍ୟରେ 2004 ମସିହାରୁ ସାଧୁ, ସନ୍ତ, ବୁଦ୍ଧିଜୀବୀ, ଯୁବକ ଏପରିକି ବିଦେଶୀ ପ୍ରତିବର୍ଷ ଫେବୃଆରୀରେ ପ୍ରାଚୀ ପରିକ୍ରମା କରୁଥିଲେ । ହେଲେ ସେତେଟା ଏହାର ପ୍ରଭାବ ପରିଲକ୍ଷିତ ହେଉନଥିବା ସୂଚନା ମିଳିଛି । ପ୍ରାଚୀ ନଦୀ ଇତିହାସ ବହନ କରୁଥିବା କାରଣରୁ ଏହାର ଜୀବନ ରେଖାକୁ ପୁନଃ ଜୀବିତ କରିବା ନିହାତି ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ଜୋର ଧରିଛି ।
ଇଟିଭି ଭାରତ, ନିଆଳି