କଟକ: ଆଇସିୟୁରେ ଭର୍ତ୍ତି ହେଲା କୁଖ୍ୟାତ ଅପରାଧୀ ସୁଶାନ୍ତ ଧଳସାମନ୍ତ । ଗତକାଲି ବିଳମ୍ବିତ ରାତିରେ ସୁଶାନ୍ତକୁ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ହୃଦଘାତ ଜନିତ ସମସ୍ୟା ଥିବାରୁ ସୁଶାନ୍ତକୁ ଗତକାଲି ବୁର୍ଲାରୁ SCBକୁ ସ୍ଥାନାନ୍ତରିତ କରାଯାଇଛି । ସୁଶାନ୍ତକୁ ଏସ୍ସିବିର ହୃଦରୋଗ ବିଭାଗ (କାର୍ଡିଓଲୋଜି)ର ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ସୁଶାନ୍ତର ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି ଏବଂ ହୃଦରୋଗ ବିଭାଗର ସ୍ବତନ୍ତ୍ର ଡାକ୍ତରୀ ଟିମ ତାର ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି ଏସ୍ସିବି ମେଡିକାଲର କୂଳ ସଚିବ ଅଭିନାଶ ରାଉତ ।
ସେପଟେ ସୁଶାନ୍ତ ଧଳସାମନ୍ତ ଜଣେ କୁଖାତ ଅପରାଧୀ ହୋଇଥିବାରୁ, ଏପରିକି ପୂର୍ବରୁ କଟକରେ ତାର ଅପରାଧର ନେଟ୍ୱାର୍କ୍ ଚାଲିଥିବାରୁ ତାର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ସୁଶାନ୍ତ ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ରହିବେ ପୋଲିସ ଟିମ୍ । ସୁଶାନ୍ତ ପାଇଁ ବାହାର ଖାଦ୍ୟକୁ ଅନୁମତି ଦିଆଯିବ ନାହିଁ ଏବଂ କୋର୍ଟଙ୍କ ବିନା ଅନୁମତିରେ କୌଣସି ଲୋକଙ୍କୁ ଭେଟ କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିପି ଅମିତାଭ ମହାପାତ୍ର । ଏସିପି ଏବଂ ଆଇଆଇସି ସୁଶାନ୍ତର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବୋଲି ଜୋନ୍-୨ ଏସିପି ସୂଚନା ଦେଇଛନ୍ତି ।