କଟକ: ଉଦ୍ଧାର ହେଲେ ପାଖାପାଖି 1300 ନିଖୋଜ ଶିଶୁ । ରାଜ୍ୟରେ ନିଖୋଜ ଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଦୁଇ ଦୁଇ ଥର ନିଖୋଜ ଶିଶୁ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 1300 ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ଓଡ଼ିଶା ପୋଲିସ ଡିଜି ଅଭୟ ।
ଚଳିତ ବର୍ଷ ଜାନୁଆରୀ 18 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ 28 ଫେବୃଆରୀରୁ 8 ମାର୍ଚ୍ଚ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନିଖୋଜ ଶିଶୁ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା ଓଡ଼ିଶା ପୋଲିସ । ତେବେ ପ୍ରଥମ ପର୍ଯ୍ୟାୟରେ 894 ଜଣ ନିଖୋଜ ଶିଶୁ ଉଦ୍ଧାର ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ 404 ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ 894 ଜଣ ନିଖୋଜ ଶିଶୁଙ୍କ ମଧ୍ୟରେ 800 ଜଣ ବାଳିକା ଓ 94 ଜଣ ବାଳକ ଥିଲେ । ରାଜ୍ୟର ବିଭିନ୍ନ ଥାନାରେ 834 ଜଣ ନିଖୋଜ ଶିଶୁଙ୍କ ମାମଲା ଦାୟର ହୋଇଥିଲା । କେନ୍ଦ୍ରାପଡ଼ାରେ ସର୍ବାଧିକ 127 ଜଣ ଶିଶୁ ଉଦ୍ଧାର ହୋଇଥିବାବେଳେ ମୟୂରଭଞ୍ଜରେ 111 ଓ ବାଲେଶ୍ବରରେ 88 ଜଣ ଶିଶୁ ଉଦ୍ଧାର ହୋଇଥିଲେ ।