କଟକ: ଐତିହାସିକ ବାଲିଯାତ୍ରାର ପ୍ଲଟ ଆବଣ୍ଟନକୁ ନେଇ ହାଇକୋର୍ଟରେ ମାମଲା ରୁଜ୍ଜୁ ହୋଇଥିବାବେଳେ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ଭାବେ ହାଜର ହେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଉତ୍କଳ ସମ୍ମିଳନୀ ମଧୁ ମଞ୍ଚ ପକ୍ଷରୁ ଏହି ମାମଲା ରୁଜ୍ଜୁ ହୋଇଥିଲା । ମାତ୍ର ଏକ ହଜାର ଟଙ୍କାର ଟୋକନ ମନି ନେଇ ମଧୁମଞ୍ଚକୁ ପ୍ଲଟ ଦେବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଷ ବର୍ଷ ଧରି ବିନା ମୁଲ୍ୟରେ ବାଲିଯାତ୍ରା ତଳ ପଡ଼ିଆରେ ପ୍ଲଟ ପାଉଛି ମଧୁମଞ୍ଚ ।
ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆ ପ୍ରଶସ୍ତ ହୋଇଥିବାବେଳେ ମଧୁ ମଞ୍ଚକୁ ପ୍ଲଟ ପାଇଁ ଟଙ୍କା ଜମା ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅପରାହ୍ନ ୨ ଟାରେ କଟକ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହେବା ସହିତ କାହାକୁ କାହାକୁ ବିନା ମୂଲ୍ୟରେ ପ୍ଲଟ ଆବଣ୍ଟନ ହେଉଛି ସେ ସମ୍ପର୍କରେ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।