କଟକ:ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସହମତିରେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ । ବିନା ସହମତିରେ ଅଭିଯୁକ୍ତ ଜଣକ ଶାରୀରିକ ସମ୍ପର୍କ ରଖିଥିବା କହି ଦୁଷ୍କର୍ମ ଅଭିଯୋଗ ଆଣିଲେ ଅଭିଯୁକ୍ତ ଜଣକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । କେବଳ ସେତିକି ନୁହେଁ ଅଦାଲତଙ୍କୁ ଯେଉଁ ତଥ୍ୟ ଏବଂ ଦସ୍ତାବିଜ୍ ଆସୁଛି ସେଥିରେ ଯଦି ସହମତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥାଏ ତେବେ ତାହାକୁ ମଧ୍ୟ ଦୁଷ୍କର୍ମ କୁହାଯିବ ନାହିଁ । କିମ୍ବା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ ।
ଯଦି ପୀଡ଼ିତା ଜଣକ ସ୍ୱଇଚ୍ଛାରେ ଶାରୀରିକ ସମ୍ପର୍କ ରଖିଛନ୍ତି ତେବେ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ । ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍କେ ସାହୁ ସୁନ୍ଦରଗଡ଼ ଜିଲ୍ଲାର ଶାନ୍ତନୁ କଉଡିଙ୍କ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତକୁ ତଳକୋର୍ଟ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିବା ବେଳେ ହାଇକୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।
ମାମଲା ବିବରଣୀରୁ ଜଣାପଡିଛି ଯେ, ଗତ ୨୦୧୩ ମସିହା ଅଗଷ୍ଟ ୧୪ ତାରିଖରେ ସୁନ୍ଦରଗଡ ଜିଲ୍ଲା ସଦର ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ପୀଡିତାଙ୍କ ପିତା ଏନେଇ ଥାନାରେ ଏତଲା ଦେଇଥିଲେ। ଏତଲାରେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଦର୍ଶାଇ ଥିଲେ । ଏପରିକି ତାଙ୍କ ଝିଅ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଭୟଭୀତ କରି ଶାରୀରିକ ସମ୍ପର୍କ ରଖିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଝିଅ 7 ମାସର ଗର୍ଭବତୀ ହୋଇଥିବା ନେଇ ଏତଲାରେ ଦର୍ଶାଇଥିଲେ। ଏହାର ପରଦିନ ସଦର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ।