କଟକ:ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟ ଶେଷ ହେବା ପରେ କଟକ ବାରଙ୍ଗ ବ୍ଲକରେ ଏଭଳି କିଛି ଦେଖିବାକୁ ମଳିଛି, ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । କୁରାଙ୍ଗ ପ୍ରଧାନ ଗ୍ରାମପଞ୍ଚାୟତର କୁରୁଣ୍ଟି ଗାଁ ୧୧ ୱାର୍ଡ଼ରେ ବୁଥ୍ର ପ୍ରିଜାଇଡିଂ ଅଫିସର ଜଣେ ପୋଲିସ କର୍ମୀଙ୍କ ବାଇକ୍ରେ ବାଲଟ ବାକ୍ସକୁ ଆଣି ଷ୍ଟ୍ରଙ୍ଗ୍ ରୁମକୁ ଆଣିଛନ୍ତି । ବାଲଟ ବାକ୍ସକୁ ୪ ଚକିଆ ଯାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଫେରାଇ ଆଣିବାର ନିୟମ ରହିଛି ।
କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଉପଯୁକ୍ତ ସୁରକ୍ଷା ବଦଳରେ ଜଣେ ପୋଲିସ କର୍ମୀଙ୍କ ସହ ଏକ ବାଇକରେ ନିଜେ ପ୍ରିଜାଇଡିଂ ଅଫିସର ବାଲଟ ବାକ୍ସକୁ ଆଣିଛନ୍ତି । ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିଛନ୍ତି । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି । ଲୋକଙ୍କ ପ୍ରତିବାଦ ପରେ ବାଲଟ ବାକ୍ସ ବୁଥ୍କୁ ଫେରିଛି । ଏହାପରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ।