ନିଆଳି: ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକସ୍ତରରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେକ୍ରମେ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଓ କରିଛନ୍ତି ଦଳର ନେତା, କର୍ମୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି । ଏହିକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ କଟକ ଜିଲ୍ଲା ନିଆଳି ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ।
ଏହି ବିକ୍ଷୋଭ ବେଳେ ପିସିସି ସଭାପତି କହିଛନ୍ତି, "ଏକବିଂଶ ଶତାବ୍ଦୀ ପରେ ମଧ୍ୟ ଗାଁ ଗଣ୍ଡାରେ ସାଧାରଣ ଲୋକେ ଖଟିଆରେ ରୋଗୀ ବୋହୁଛନ୍ତି । ଗାଁକୁ ସମ୍ମାନ କଥା କହୁଥିବା ବିଜେଡି ଗାଁ ଗଣ୍ଡାର ବିକାଶ ପରିବର୍ତ୍ତେ ବିନାଶ କରିଛି । ଲକ୍ଷଲକ୍ଷ ବେକାରୀ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ଅଣଓଡ଼ିଆ ହାତରେ ଶାସନ ଭାର । ବାବୁଗିରି ଶାସନ ଆଉ ଓଡିଶାରେ ଚଳିବ ନାହିଁ । ନେତା ଆଉ ମୁଖିଆ ଯଦି ନୀରବ, ତେବେ ସାଧାରଣ ଜନତାଙ୍କ କଥା ଏଠି ବୁଝିବ କିଏ ? ରାଜ୍ୟରେ ବିଭିନ୍ନ ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିନା ପିସିରେ ସାଧାରଣ ଲୋକଙ୍କ କାର୍ଯ୍ୟ ହେଉନାହିଁ । ପ୍ରକୃତ ହିତାଧିକାରୀ ହଇରାଣ ହରକତ ହେଉଛନ୍ତି । ସରକାରୀ ପକ୍କା ଯୋଜନା ବିଜେଡି ହାତରେ, ବାର୍ଦ୍ଧକ୍ୟ ଭତ୍ତାଠାରୁ ଆରମ୍ଭ କରି ରାସ୍ତା ଘାଟ, ସବୁ କାମରେ ପିସି ଆଦୟ ଚାଲିଛି । କଂଗ୍ରେସ ସରକାର ସମୟରେ ୧୫୦ ବ୍ଲକରେ ପାନୀୟ ଜଳ ଯୋଗାଣ ଯୋଗାଇ ଦିଆଯାଇଛି । କିନ୍ତୁ ୨୪ ବର୍ଷ ଶାସନ କରୁଥିବା ବିଜେଡି ସରକାର ୩୦ ପ୍ରତିଶତ ଗାଁକୁ ପାନୀୟ ଜଳ ଯୋଗାଇବାରେ ବ୍ୟର୍ଥ ହୋଇଛି ।"