କଟକ:ସୁପ୍ରିମକୋର୍ଟଙ୍କ ଜୁଲାଇ ୩୧ର ରାୟ ପାଳନ କରି ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ଗିରଫଦାରୀ ପାଇଁ ରହିଥିବା ନିର୍ଦ୍ଦେଶ ଅନୁପାଳନ ନକଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହାଇକୋର୍ଟରେ ରୁଜୁ ହେବ । ବିଶେଷକରି ଆଇପିସିର ଦଫା ୪୯୮-'କ'ରେ ମାମଲା ରୁଜୁ ହେବା କ୍ଷଣି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରୁ ବିରତ ରହିବ । ୪୯-କ ଦଫାରେ ରୁଜୁ ମାମଲାରେ ଅଭିଯୁକ୍ତଙ୍କୁ ଆପେ ଆପେ ଗିରଫ ନ କରିବା ପାଇଁ ରାଜ୍ୟ ସରକାର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ ।
ଅସଫକ ଆଲମ ବନାମ ବିହାର ରାଜ୍ୟ ମାମଲାରେ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ ପ୍ରସଙ୍ଗ ନେଇ ହାଇକୋର୍ଟ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ୩୧ ଜୁଲାଇ ୨୦୨୩ରେ ସୁପ୍ରିମକୋର୍ଟ ଅସଫକ ଆଲମ ବନାମ ଝାଡ଼ଖଣ୍ଡ ରାଜ୍ୟ ମାମଲାର ଶୁଣାଣି କରି ଅର୍ଣ୍ଣେସ କୁମାର ରାୟରେ ରହିଥିବା ଅନାବଶ୍ୟକ ଗିରଫଦାରୀ ଓ ଅଟକ ସଂପର୍କିତ ନିୟମାବଳୀ ପାଳନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଁ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ କ'ଣ ରହିଛି ଏହି ଆଇନ ?
ଏଭଳି ମାମଲାରେ ସିଆରପିସିର ଧାରା ୪୧ରେ ଥିବା ବ୍ୟବସ୍ଥା ଅନୁସାରେ ଗିରଫଦାରୀର ଆବଶ୍ୟକତା ପ୍ରସଙ୍ଗରେ ପୋଲିସ ଅଧିକାରୀ ସୁନିଶ୍ଚିତ ହେବେ । ମାମଲାରେ ଯଦି ପୋଲିସ ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରନ୍ତି ତେବେ ଗିରଫଦାରୀର କାରଣ ଓ ଏଭଳି ଆବଶ୍ୟକତା ସଂପର୍କିତ ଦସ୍ତାବିଜ ସହିତ ସଂପୂର୍ଣ୍ଣ ଚେକ୍-ଲିଷ୍ଟ ଅଦାଲତରେ ଚାଲାଣ ବେଳେ ଉପସ୍ଥାପନ କରାଯିବ । ପୋଲିସ ଅଧିକାରୀ ଦାଖଲ କରିଥିବା ରିପୋର୍ଟକୁ ମାଜିଷ୍ଟ୍ରେଟ ଅନୁଧ୍ୟାନ କରିବେ । ଯଦି ଏହା ସନ୍ତୋଷଜନକ ଥାଏ ତେବେ ମାଜିଷ୍ଟ୍ରେଟ ନିଜ ସନ୍ତୁଷ୍ଟି ନେଇ ରେକର୍ଡରେ ଉଲ୍ଲେଖ କରିବା ପରେ ଅଭିଯୁକ୍ତଙ୍କୁ ଅଧିକ ସମୟ ପାଇଁ ଅଟକ ପାଇଁ ଅନୁମତି ଦେଇପାରିବେ ।
ଏହାମଧ୍ୟ ପଢନ୍ତୁ: OSSC Paper Leak: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ