କଟକ:ହାଇକୋର୍ଟରେ କଟକ ସହର ରାସ୍ତାଘାଟ ସମସ୍ୟା ପ୍ରସଙ୍ଗ । ମାମଲାକୁ ଅତି ଗୁରୁତର ସହ ନେଇଛନ୍ତି ହାଇକୋର୍ଟ । ଏହି ମାମଲାର ଶୁଣାଣି କରି କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିପରି 'ବକ୍ସ ଡ୍ରେନ୍' ପ୍ରସଙ୍ଗରେ ସତ୍ୟପାଠ ଦାଖଲ ପାଇଁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । କଟକ ସହର ରାସ୍ତାଘାଟର ଦୁରାବସ୍ଥା ନେଇ ରୁଜୁ ହୋଇଥିଲା ଜନସ୍ବାର୍ଥ ମାମଲା । ଆଜି ଏହି ମାମଲାର ଶୁଣାଣି ସମୟରେ ରାସ୍ତାଘାଟ ମରାମତି କାର୍ଯ୍ୟ ଶେଷ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲା R&B । ତେବେ କୋର୍ଟ ରାସ୍ତାଘାଟ ମରାମତି ନେଇ ଅବଗତ ଥିବା କହିବା ସହିତ ସମସ୍ତ ମରାମତି କାର୍ଯ୍ୟ ଶେଷ କରିବାକୁ ୧୫ ଦିନ ସମୟ ଦେଇଛନ୍ତି ।
କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ କୋର୍ଟରେ ହାଜର ହୋଇଥିଲେ ବିଭିନ୍ନ ବିଭାଗର ୯ ଜଣ ଅଧିକାରୀ । ସିଟି ଇଞ୍ଜିନିୟର, GAIL ପ୍ରବନ୍ଧକ, WATCO, R&B ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ହାଜର ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗକୁ ତାଗିଦ କରିଛନ୍ତି । ଆସନ୍ତା ୨୨ ତାରିଖ ସୁଦ୍ଧା ସହରର ରାସ୍ତା ଗୁଡିକର ମରାମତି କାର୍ଯ୍ୟ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।