କଟକ: ପୋଲିସ ଗୁଳିରେ ଯୁବ ଇଞ୍ଜିନିୟର ସୟଦ ମମତାଜ ଅଲ୍ଲୀ ମୃତ୍ୟୁ ଘଟଣାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆବେଦନକାରୀଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ଭିତରେ ମୃତକଙ୍କ ମାଆଙ୍କୁ ଏହି ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୦୫ରେ ପାରାଦୀପ ଅଞ୍ଚଳରେ ପୋଲିସ ଗୁଳିରେ ଏହି ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ଉପଯୁକ୍ତ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାକୁ ଅତି ଗୁରୁତ୍ୱ ସହକାରେ ନେବା ସହ କ୍ଷତିପୂରଣ ପ୍ରଦାନରେ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଏଯାବତ୍ ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇ ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ କୋର୍ଟଙ୍କ ନିର୍ଦ୍ଦେଶର ୭ ଦିନ ଭିତରେ ପ୍ରାଣ ହରାଇଥିବା ଯୁବ ଇଞ୍ଜିନିୟରଙ୍କ ମାଆଙ୍କୁ (ଆବେଦନକାରୀ) ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ସରକାରଙ୍କ ପକ୍ଷରୁ ଆବେଦନକାରୀଙ୍କୁ ମାତ୍ର ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୪୯ ଲକ୍ଷ ଟଙ୍କାର ଡ୍ରାଫ୍ଟ ମୃତକଙ୍କ ମାଆଙ୍କ ନାମରେ ତାଙ୍କ ଘରେ ଯାଇ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହିତ ମୋକଦ୍ଦମା ବାବଦକୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ଦେବାକୁ ନିର୍ଦ୍ଦେଶ ମିଳିଛି ।
ସମାନ ସମୟରେ ଆବେଦନକାରୀଙ୍କୁ ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସବୁଠାରୁ ବଡ କଥା ହେଉଛି ୭ଦିନ ମଧ୍ୟରେ ଯଦି ଏହି ରାଶି ପ୍ରଦାନ କରାନଯାଏ, ତେବେ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ ତାରିଖରୁ ବାର୍ଷିକ ୭ ପ୍ରତିଶତ ସୁଧ ସହ ସମୁଦାୟ କ୍ଷତିପୂରଣ ରାଶି ସରକାର ଆବେଦନକାରୀଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିଗାର ବେଗମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।