କଟକ: ଆନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା (Olympian Birendra Lakra)ଙ୍କ ନାଁରେ ହତ୍ୟା ଅଭିଯୋଗ ନେଇ କାହିଁକି ଏଫଆଇଆର ରୁଜୁ ହୋଇନାହିଁ । ସେ ସମ୍ପର୍କରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ତୁରନ୍ତ ମାମଲା ରୁଜୁ କରିବାକୁ ଇନଫୋସିଟି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଭର୍ଚୁଆଲ ମାଧ୍ୟମରେ ହାଇକୋର୍ଟରେ ଉପସ୍ଥିତ ରହିଥିଲେ ଇନଫୋସିଟି ଥାନା ଅଧିକାରୀ । ତେବେ ତାଙ୍କ ପାଖରେ ଏଫଆଇଆର ପହଞ୍ଚିନଥିବା ଆଇଆଇଆସି ହାଇକୋର୍ଟଙ୍କୁ ଅବଗତ କରିଥିଲେ ।
ସୂଚନାଯୋଗ୍ଯ ଯେ, ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଘରେ ତାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏନେଇ ମୃତକ ଆନନ୍ଦ ଟପ୍ପୋଙ୍କ ବାପା ବୀରେନ୍ଦ୍ର ଏବଂ ତାଙ୍କ ବାନ୍ଧବୀଙ୍କ ନାମରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଥିଲେ । ହକି ତାରକ ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ । ଏମିତିକି ବୀରେନ୍ଦ୍ରଙ୍କୁ ମୃତକଙ୍କ ପରିବାରବର୍ଗ ପୁଅ ଭଳି ଦେଖୁଥିଲେ । ବୀରେନ୍ଦ୍ରଙ୍କ ବିବାହ ସମୟରେ ମଧ୍ୟ ମୃତକଙ୍କ ବାପା ମା ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ ତାରିଖରେ ଥିବା ବେଳେ ତା ପୂର୍ବରୁ ଡିସିପି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ମୃତକ ଆନନ୍ଦ ଟପ୍ପୋଙ୍କ ବାପା । ମୃତକଙ୍କ ବାପା ବନ୍ଧନ ଟପ୍ପୋ ଆବେଦନରେ ଦର୍ଶାଇଛନ୍ତି ଯେ, ଫେବୃଆରୀ ୨୮ ତାରିଖ ଦିନ ପ୍ରାୟ ୧୨ ଟାରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଇନ୍ଫୋସିଟିର ଆୟୁଷ ରେଡିୟମ ଫ୍ଲାଟ ନମ୍ବର ୪୦୧ରେ ବେକରେ ଶାଢ଼ି ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ । ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା । ୧୦ ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ ।