କଟକ: ହୁ ହୁ ହୋଇ ବଢୁଛି ପିଆଜ ଦର । 3 ଦିନ ତଳେ ପିଆଜ କିଲୋପ୍ରତି 50ରୁ 60ରେ ବିକ୍ରୟ ହେଉଥିଲା। ତେବେ ଶନିବାର ଏହାର ଦର 90 ରୁ 100 ଟଙ୍କା ରହିଛି । ପିଆଜ ଦର ବୃଦ୍ଧି, କେବଳ ଖାଉଟିଙ୍କୁ ପ୍ରଭାବିତ କରିଛି ତାହା ନୁହେଁ ବରଂ ବ୍ୟବସାୟୀଙ୍କ ବେପାରରେ ପ୍ରତିବନ୍ଧକ ସୃଷ୍ଟି କରିଛି ।
ପିଆଜ ବଜାରରେ ନିଆଁ, ଗ୍ରାହକ ଛାନିଆ
ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ, ଏବେ କିଲୋ ପିଛା ଦର 90 ରୁ 100 ଟଙ୍କା ହୋଇଛି । ଯାହାକୁ ନେଇ ଗ୍ରାହକ ପିଆଜରୁ ମୁହଁ ଫେରାଇ ନେଇଛନ୍ତି । ଅଧିକ ପଢ଼ନ୍ତୁ...
ଗୋଦାମରେ ପିଆଜ ଦର କିଲୋ ପ୍ରତି 80 ରୁ 85 ଟଙ୍କାରେ ମିଳୁଥିବା ବେଳେ, ବାହାର ଦୋକାନରେ ଏହା କିଲୋ ପ୍ରତି 90 ରୁ 100 ଟଙ୍କା ଦରରେ ବିକ୍ରୟ ହେଉଛି । ପିଆଜ ବଜାରରେ ସତେ ଯେପରି ନିଆଁ ଲାଗିଛି । ପିଆଜ ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଥିଲା ବେଳେ ଏହାର ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି । ଖାଉଟି ଏବେ ପିଆଜରୁ ମୁହଁ ଲେଉଟେଇଲେଣି । ସେତିକି ଆବଶ୍ୟକ ନପଡିଲେ ପିଆଜ କିଣୁ ନାହାଁନ୍ତି ଗ୍ରାହକ । ଆବଶ୍ୟକ ପଡିଲେ ଏକ କିଲୋ ବଦଳରେ ଶହେ ଗ୍ରାମ, ଅଢ଼େଇ ଶହ ନେଉଛନ୍ତି ଗ୍ରାହକ । ତେବେ ଏହା ଦ୍ବାରା ଖୁଚୁରା ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି ।
ପିଆଜ ପାଇଁ ସାଧାରଣତଃ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରିଥାଉ । ବିଷେକରି ଆନ୍ଧ୍ରପ୍ରଦେଶ, ନାସିକ, କର୍ଣ୍ଣାଟକ ଆଦି ରାଜ୍ୟ ଉପରେ ନିର୍ଭର ପିଆଜ ପାଇଁ ନିର୍ଭର କରିବାକୁ ପଡ଼େ । ତେବେ ଅମଳ ସମୟରେ ବନ୍ୟା ହେବା କାରଣରୁ ପିଆଜ ନଷ୍ଟ ହୋଇଯାଇଛି। ଯାହା ଫଳରେ ପର୍ଯ୍ୟାପ୍ତ ପରିମାଣର ପିଆଜ ରାଜ୍ୟକୁ ଆସି ପାରୁନାହିଁ। ତେବେ ପ୍ରତ୍ୟକ ଦିନ ଛତ୍ରବଜାର ପରିବା ମଣ୍ଡିରେ 7 ରୁ 10 ଟ୍ରକ ପିଆଜ ଆବଶ୍ୟକ ଥିଲା ବେଳେ ଏବେ ଦୈନିକ ମାତ୍ର ଗୋଟିଏ ଟ୍ରକ ପିଆଜ ବଜାରକୁ ଆସୁଛି । ଅମଳ ହେବା ପର୍ଯ୍ୟନ୍ତ ଏହାର ଅଭାବ ରହିବ । ତେବେ ଏହାର ଦର ଆଗକୁ ଆହୁରି ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ବ୍ୟବସାୟୀ । ରାଜ୍ୟରେ ପିଆଜ ଚାଷ ଉପରେ ଗୁରୁତ୍ୱ ଦିଆଗଲେ ପିଆଜର ଅଭାବ ଦୂର ହେବ । ତେବେ ସରକାର ଏନେଇ ଚିନ୍ତା କରିବାର ଆବଶ୍ୟକ ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ