କଟକ:ପୁଣି କ୍ରିପ୍ଟୋ କଏନର ଲୋଭ ଦେଖାଇ 17 ଲକ୍ଷ ଟଙ୍କାର ଚୂନ ଲଗାଇଲେ ସାଇବର ଠକ । ଏମିତି ଏକ ଘଟଣା ଘଟିଛି କଟକ ସହରରେ । କଟକର ଜଣେ ସରକାରୀ କର୍ମଚାରୀ ଠକାମିର ଶିକାର ହୋଇଛନ୍ତି । ଠକାମିର ଶିକାର ହେବା ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ସରକାରୀ କର୍ମଚାରୀ । ସାଇବର ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, କର୍ମଚାରୀ ଜଣକ ଅଧିକ ଟଙ୍କା ପାଇବା ଲୋଭ କରି ଏକ ନକଲି କ୍ରିପ୍ଟୋ କଏନ ୱେବସାଇଟରେ ଟଙ୍କା ଲଗାଇ 17 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଗତ ମାସ 27 ତାରିଖରେ ଯୁବକଙ୍କୁ ଏକ ଅଜଣା ହ୍ବାଟସଆପ ନମ୍ବରରୁ ମେସେଜ ଆସିଥିଲା। ଅନ୍ଲାଇନରେ ଘରେ ବସି ରୋଜଗାର କରିବା ପାଇଁ ହ୍ବାଟସ୍ଆପ୍ରୁ ମେସେଜ ଆସିବା ପରେ ତାଙ୍କୁ ଟେଲିଗ୍ରାମର ଏକ ଗ୍ରୁପରେ ଯୋଡ଼ି ଦିଆଯାଇଥିଲା। ଏହାସହ ଲାଇକ୍ ଏବଂ ସେୟାର କରି କିଛି ଟଙ୍କା ରୋଜଗାର କରିବା ପରେ ଅଧିକ ଟଙ୍କା ରୋଜଗାର ଲୋଭ ଦେଖାଇ କ୍ରିପ୍ଟୋ କରେନ୍ସି ନିବେଶ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ମାତ୍ର କମିଶନ ଆସିବା ହଠାତ୍ ବନ୍ଦ ହୋଇ ଯିବାରୁ ସନ୍ଦେହ ବଢିଥିଲା । ଆଉ ତା' ପରେ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ପରେ କୌଣସି ଯୋଗାଯୋଗ ନହେବାରୁ ସନ୍ଦେହ ବଢିଥିଲା । ଏହାପରେ ଠକାମିର ଶିକାର ହୋଇଥିବା ଜାଣିବା ପରେ ସରକାରୀ କର୍ମଚାରୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ସାଇବର ଠକ ରାଜ୍ୟର ନା ରାଜ୍ୟ ବାହାରର ସେନେଇ କୌଣସି ସୁରାକ୍ ମିଳିପାରିନଥିବାବେଳେ ପୋଲିସ ତଦନ୍ତ କରୁଛି ।