ନିଆଳି:ଜମିଜମା ବିବାଦକୁ ନେଇ ବୋହିଲା ରକ୍ତର ନଈ । ଦୁଇ ପରିବାର ଭିତରେ ହଣାକଟାରେ ଜଣେ ଗୁରୁତର । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବରାହଳ ଗ୍ରାମରେ ମଙ୍ଗଳବାର ଏପରି ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ଜଣେ ୨୭ ବର୍ଷୀୟ ବାବୁ ଖାନ ନାମକ ଯୁବକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଏନେଇ ଅଭିଯୋଗ ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ବାଲିପାଟଣା ଥାନା ବାରହଳ ଗ୍ରାମର ଶୋଭାନ ଖାନ ଏବଂ ଶେଖ୍ କଲାମଙ୍କ ମଧ୍ୟରେ ଜମିବାଡିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ଶୋଭାନ ଗତକାଲି (ମଙ୍ଗଳବାର) ବାଡିପଟେ ପାଚେରୀ ନିର୍ମାଣ କରିବାରୁ କଲାମ ଏହାକୁ ବିରୋଧ କରିଥିଲେ । ଏହି କଥାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । କିଛି ସମୟ ପରେ ଶୋଭାନଙ୍କ ପୁଅ ବାବୁ ଦାଣ୍ତ ଦୁଆରେ ଠିଆ ହୋଇଥିବା ବେଳେ କଲାମଙ୍କ ପରିବାର ଲୋକେ ତାଙ୍କ ଉପରେ ଆକ୍ରମଣ କରିଥିଲେ । କଲାମଙ୍କ ପୁଅ ରେହମାନ ଓରଫ୍ ଲାଡେନ ଘରୁ ଏକ ଧାରୁଆ ଅସ୍ତ୍ର ଆଣି ବାବୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।