କଟକ:ଓଡିଶା ପୋଲିସ ସବ ଇନ୍ସପେକ୍ଟର ଚୟନ ପ୍ରକ୍ରିୟା ଅନିୟମିତତା ପ୍ରସଙ୍ଗ । ଓଡିଶା ସରକାର ଏବଂ ଓଡିଶା ପୋଲିସ ନିଯୁକ୍ତି ବୋର୍ଡ଼କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଆବେଦନକାରୀ ସୁବାସ ସେନାପତିଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ଚୟନ ପାଇଁ ହୋଇଥିବା ଲିଖିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଦାୟର ମାମଲାରେ ନୋଟିସ କଲେ ହାଇକୋର୍ଟ ।
ତେବେ ଆବେଦନ ଅନୁଯାୟୀ ୪୭୭ଟି ସବ ଇନ୍ସପେକ୍ଟର ପଦ ପୂରଣ ପାଇଁ ଗତ 2021 ମସିହା ଜୁନ 22ତାରିଖରେ ଓଡିଶା ପୋଲିସ ନିଯୁକ୍ତି ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଦୁଇଟି ସିଟିଙ୍ଗରେ 2ଟି ପେପରର ଲିଖିତ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 2023 ନଭେମ୍ବର 26 ତାରିଖରେ ପରୀକ୍ଷା ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଥିଲା । ପରୀକ୍ଷା ଦିନ ଖୋର୍ଦ୍ଧା ଓମେନ୍ସ କଲେଜରେ ଥିବା ସେଣ୍ଟରରେ ପ୍ରଥମ ସିଟିଙ୍ଗରେ ପେପର 1 ପରିବର୍ତ୍ତେ ପେପର 2 ପ୍ରଶ୍ନପତ୍ର ଭୁଲରେ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା । ପ୍ରଶ୍ନପତ୍ର ବଣ୍ଟାଯିବାର ପ୍ରାୟ 20 ମିନିଟ ପରେ ନିଜର ଭୁଲ ବୁଝିପାରି ପରୀକ୍ଷାର୍ଥୀଙ୍କ ନିକଟରୁ ପେପର 2ର ପ୍ରଶ୍ନପତ୍ର ସଂଗ୍ରହ କରାଯାଇଥିଲା । ଏହାସହ ସେହି ସେଣ୍ଟରରେ ଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଦ୍ୱତୀୟ ସିଟିଙ୍ଗ ପର୍ଯ୍ୟନ୍ତ ଅଟକ ରଖିବା ସହ ପେପର 1 ପରୀକ୍ଷା ନକରାଇ ପେପର 2 ପରୀକ୍ଷା କରାଯାଇଥିଲା ।