ଓଡିଶା

odisha

ETV Bharat / state

ଘରୋଇ ସ୍କୁଲ ଫି' ହ୍ରାସ ନେଇ ଅଭିଭାବକ ମହାସଙ୍ଘର ଚେତାବନୀ - ଘରୋଇ ସ୍କୁଲ ଫି ହ୍ରାସ

ମହାମାରୀ ଯୋଗୁଁ ସ୍କୁଲ ଫି' ହ୍ରାସ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶକୁ ମାନୁନାହାଁନ୍ତି କଟକର କିଛି ଘରୋଇ ସ୍କୁଲ । ଅଭିଯୋଗ କଲା ଓଡିଶା ଅଭିଭାବକ ମହାସଙ୍ଘ । ଅଧିକ ପଢନ୍ତୁ...

ଘରୋଇ ସ୍କୁଲରେ ଫି ହ୍ରାସ ନେଇ ଅଭିଭାବକ ମହାସଙ୍ଘର ଚେତାବନୀ
ଘରୋଇ ସ୍କୁଲରେ ଫି ହ୍ରାସ ନେଇ ଅଭିଭାବକ ମହାସଙ୍ଘର ଚେତାବନୀ

By

Published : Feb 2, 2021, 7:49 PM IST

କଟକ: ମହାମାରୀରେ ଆର୍ଥିକ ସମସ୍ୟା ନେଇ ପ୍ରାଇଭେଟ ସ୍କୁଲରେ ଫି ଆଦାୟ ହ୍ରାସ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ନିର୍ଦ୍ଦେଶରେ ରାଜ୍ୟ ସରକାର ପୂର୍ବରୁ ହୋଇଥିବା ଏମଓୟୁକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ମାତ୍ର କଟକରେ ଥିବା ଘରୋଇ ସ୍କୁଲଗୁଡିକ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରୁନାହାଁନ୍ତି ବୋଲି ଓଡିଶା ଅଭିଭାବକ ମହାସଙ୍ଘ ସାମ୍ବାଦିକ ସମ୍ମିଳନୀ ଯୋଗେ ଅଭିଯୋଗ କରିଛି ।

ଘରୋଇ ସ୍କୁଲରେ ଫି ହ୍ରାସ ନେଇ ଅଭିଭାବକ ମହାସଙ୍ଘର ଚେତାବନୀ

ଯେଉଁ ସ୍କୁଲ ଏହି ନିର୍ଦ୍ଦେଶ ମାନୁନାହାଁନ୍ତି, ଜିଲ୍ଲା ଶିକ୍ଷାଧିକାରୀ ସେମାନଙ୍କର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସରକାରଙ୍କୁ ସୁପାରିଶ କରନ୍ତୁ ବୋଲି କଟକ ଗାନ୍ଧୀ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଙ୍ଘ ଦାବି କରିଛି । ଆହୁରିମଧ୍ୟ, କମ୍ ପିଲାସଂଖ୍ୟା ଦର୍ଶାଇ ରାଜ୍ୟ ସରକାର 11 ହଜାରରୁ ଅଧିକ ସରକାରୀ ସ୍କୁଲ ବନ୍ଦ କରିବାକୁ ଯେଉଁ ଅଗଣତାନ୍ତ୍ରିକ ନିଷ୍ପତ୍ତି ନେଇଛନ୍ତି ତାକୁ ପ୍ରଥମେ ସ୍ଥଗିତ କରିବା ସହିତ ନିର୍ବାଚିତ ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଗ୍ରାମବାସୀଙ୍କୁ ନେଇ ପରାମର୍ଶ ଓ ଆଲୋଚନା କରିବାକୁ ମହାସଂଘ କହିଛି l

ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଅନେକ ବଢ଼ିଯିବ l ତେଣୁ ଏଭଳି ଜନବିରୋଧୀ, ଶିକ୍ଷା ବିରୋଧୀ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ ନ ହେଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବୁ ବୋଲି ମହାସଂଘ ଚେତାବନୀ ଦେଇଛି l ଅନ୍ୟପଟେ କଟକ ଏସସିବି ମେଡିକାଲ ପବ୍ଲିକ ସ୍କୁଲକୁ ବନ୍ଦ ନିଷ୍ପତ୍ତି ପରିପ୍ରେକ୍ଷୀରେ ସ୍କୁଲର ଅଭିଭାବକମାନଙ୍କୁ ନେଇ ବାଲାଟ ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମତାମତ ସଂଗ୍ରହ କରାଯାଇଥିଲା । ଉକ୍ତ ମତାମତ ବାକ୍ସକୁ ତୁରନ୍ତ ଖୋଲାଯାଇ ବହୁସଂଖ୍ୟକ ଅଭିଭାବକଙ୍କ ମତକୁ କାର୍ଯ୍ୟକାରୀ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details