କଟକ: ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏହି ନିର୍ବାଚନୀ ମୋକଦ୍ଦମାରେ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ପ୍ରଥମେ ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିବେ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।
ସମଗ୍ର ମାମଲା ଉପରେ ପ୍ରତିପକ୍ଷଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିବେ । ଏହାପରେ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ସମଗ୍ର ମାମଲା ଉପରେ ଉତ୍ତର ରଖାଯିବ । ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିବା ପରେ ପ୍ରତିପକ୍ଷଙ୍କ ଆଇନଜୀବୀ ଚାହିଁଲେ କୋର୍ଟଙ୍କ ଅନୁମତି ପୂର୍ବକ ଯୁକ୍ତି ରଖି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଏଥି ସହିତ ନଭେମ୍ବର ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।
ପରବର୍ତ୍ତୀ ଶୁଣାଣି ସମୟରେ ପ୍ରତିପକ୍ଷ ମୋକିମଙ୍କ ତରଫରୁ ଆଇନଜୀବୀ ଯୁକ୍ତି ଉପସ୍ଥାପନ ଆରମ୍ଭ କରିବେ ବୋଲି ହାଇକୋର୍ଟ କହିଛନ୍ତି । ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ନଭେମ୍ବର ୧ରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ନଭେମ୍ବର ୬ ତାରିଖକୁ ଯୁକ୍ତି ଉପସ୍ଥାପନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ପ୍ରଥମେ ଆବେଦନକାରୀ ନା ପ୍ରତିପକ୍ଷ ଯୁକ୍ତି ଉପସ୍ଥାପନ କରିବେ ତାହାକୁ ନେଇ ଉଭୟ ପକ୍ଷ ଭିନ୍ନ ମତ ରଖିଥିଲେ । ନିର୍ବାଚନୀ ମୋକଦ୍ଦମାର ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ସାକ୍ଷ୍ୟଗ୍ରହଣ ଶେଷ ହୋଇ ଥିବାରୁ ତାଙ୍କ ତରଫରୁ ପ୍ରଥମେ ଯୁକ୍ତି ଉପସ୍ଥାପନ କରାଯିବା କଥା ।