କଟକ: ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ । ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆବେଦନକାରୀ ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ନେଇ ASI ଅବଗତ କରିଥିଲେ ବି ଏହାର ସୁରକ୍ଷିତ ପାଇଁ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି । ତେବେ ଏହାର ସୁରକ୍ଷା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।
ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଯାଞ୍ଚ କରିବାକୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।
ASI ସତ୍ୟପାଠରେ କଣ ଦର୍ଶାଇଥିଲା ? :-ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଏଏସଆଇ । ତେବେ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି । ତେଣୁ ମରାମତି ପାଇଁ କୋର୍ଟ ଅନୁମତି ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଏଏସଆଇ ଅଧୀକ୍ଷଣ ଯନ୍ତ୍ରୀ ଡଃ ବିବି ସାତ ଗଡ଼ନାୟକ । ୨୦୧୮ରେ ଶେଷ ଥର ପାଇଁ ରତ୍ନ ଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ।
ପୂର୍ବରୁ ରତ୍ନଭଣ୍ଡାରରୁ ପାଣି ଝରୁଥିଲା, ରତ୍ନଭଣ୍ଡାରର ଚଟାଣରେ କିଛି ପଥର ପଡିଥିଲା, କାନ୍ଥ ମଝିରେ ଫାଟ ଥିବାର ଆୱାଜ ଆସିଥିଲା, ବର୍ତ୍ତମାନ ରତ୍ନଭଣ୍ଡାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି। ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। କୋର୍ଟ ଯେତେଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦେବେ। ସେତେ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି ASI ପୁରୀ ମଣ୍ଡଳ ଅଧିକ୍ଷକ ଡକ୍ଟର ଦିବିସାଦ ଗଡ଼ନାୟକ । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ASI ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।