ଓଡିଶା

odisha

ଆଜୀବନ କାରାଦଣ୍ଡ ଭୋଗିବ ଦାରା ସିଂ, ହାଇକୋର୍ଟରେ ରାୟ କାଏମ

By

Published : Jan 11, 2022, 7:59 AM IST

ବହୁ ଚର୍ଚ୍ଚିତ ବାରିପଦା ପଡ଼ିଆବେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ସାବ୍ୟସ୍ତ ଦାରା ସିଂର ଆବେଦନ ଓଡିଶା ହାଇକୋର୍ଟ ଖାରଜ କରିଛନ୍ତି । ଜିଲ୍ଲା ଦୌରାଜଜ୍ ଦେଇଥିବା ଆଜୀବନ କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

ଦୋଷୀ ଦାରା ସିଂ ଆବେଦନ ହାଇକୋର୍ଟରେ ଖାରଜ
ଦୋଷୀ ଦାରା ସିଂ ଆବେଦନ ହାଇକୋର୍ଟରେ ଖାରଜ

କଟକ:ଦାରା ସିଂ ଓରଫ ରବୀନ୍ଦ୍ର ପାଲର ଆବେଦନ ଓଡିଶା ହାଇକୋର୍ଟରେ ଖାରଜ ହୋଇଛି । ବହୁଚର୍ଚ୍ଚିତ ବାରିପଦା ପଡ଼ିଆବେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ସାବ୍ୟସ୍ତ ଦାରା ସିଂର ଆବେଦନ ଓଡିଶା ହାଇକୋର୍ଟ ଖାରଜ କରିଛନ୍ତି (Dara Singh appeal rejected)। ଜିଲ୍ଲା ଦୌରାଜଜ୍ ଦେଇଥିବା ଆଜୀବନ କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି ହାଇକୋର୍ଟ । ମୟୂରଭଞ୍ଜ ସେସନ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଥିଲା ଆସାମୀ ଦାରା ସିଂ ।

୧୯୯୯ ଅଗଷ୍ଟ ୨୬ ରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ପଡ଼ିଆବେଡା ଡେଲି ମାର୍କେଟରେ ଶାଢ଼ୀ ଡ୍ରେସ ଦୋକାନ କରିଥିଲେ ଜଣେ ବ୍ୟବସାୟୀ ସେକ ରେହମାନ। ରେହମାନଙ୍କୁ ଚାନ୍ଦା ମାଗିଥିଲା ଦାରା ସିଂ। ଚାନ୍ଦା ନ ଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦାରା ସିଂ ଓ ତାର ସହଯୋଗୀମାନେ କୁରାଢ଼ିରେ ହାଣି ରେହମାନକୁ ହତ୍ୟା କରିଥିଲେ। ହତ୍ୟା କରିବା ସହ ଦୋକାନ ଓ ରେହମାନକୁ କିରୋସିନି ଢାଳି ଜାଳି ଦେଇଥିଲା ଦାରା ସିଂ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରେ ବାରିପଦାରେ ଘଟିଥିବା ଗ୍ରାହମ ଷ୍ଟେନସ ହତ୍ୟା ଘଟଣାର ମୁଖ୍ୟ ଥିଲା ଦାରା ସିଂ।

ଏହି ଘଟଣାର ତଦନ୍ତ ପ୍ରଥମେ ଠାକୁରମୁଣ୍ଡା ଥାନା ଓଆଇସି ପରେ କରଞ୍ଜିଆ ସର୍କଲ ଇନସ୍ପେକ୍ଟର ତଦନ୍ତ କରିଥିଲେ। ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ୨୦୦୦ ମସିହା ଫେବୃଆରୀ ୧ ତାରିଖରେ ଦାରା ସିଂକୁ ଗିରଫ କରିଥିଲା । ଦାରା ସହ ଏହି ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ୩୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହି ଚର୍ଚ୍ଚିତ ଘଟଣାର ଶୁଣାଣି କରି ୨୦୦୭ ଅକ୍ଟୋବର ୨୯ ରେ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ମୟୂରଭଞ୍ଜ ସେସନ କୋର୍ଟ। ଅନ୍ୟ ଅଭିଯୁକ୍ତମାନଙ୍କୁ ଖଲାସ କରି ଦେଇଥିଲେ ।

ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ପାଇବା ପରେ ସେସନ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଦାରା ସିଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ୩୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ୧୬ ଟି ତଥ୍ୟ ପ୍ରମାଣ ଆଧାରରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ୨୧ ବର୍ଷରୁ ଉର୍ଦ୍ଧ୍ବ ସମୟ ସଜ୍ଜା କାଟି ସାରି ଥିବାରୁ ଦଣ୍ଡରେ କୋହଳ କରିବାକୁ ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢି ଥିଲେ । ଏହାକୁ ଗ୍ରହଣ କରି ନାହାନ୍ତି ହାଇକୋର୍ଟ। ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ରାୟ ପ୍ରକାଶ କରିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିିଭି ଭାରତ

ABOUT THE AUTHOR

...view details