କଟକ:ଓଡ଼ିଶା ହାଇକୋର୍ଟରେ କଟକ ବଡ଼ ମେଡିକାଲ ଛାତ୍ର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଏସସିବିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ କର୍ତ୍ତୃପକ୍ଷ ଯତ୍ନଶୀଳ ହେବା ଉଚିତ ବୋଲି କୋର୍ଟ କହିଛନ୍ତି । ହଷ୍ଟେଲରେ କୋଠାର ସ୍ଥିତି, ପରିମଳ, ଶୌଚାଳୟ, ଜଗୁଆଳି, ବିଦ୍ୟୁତ ୱାରିଂ, ଅଶ୍ବସ୍ତିକର ପରିବେଶ ସଂପର୍କିତ ସମସ୍ୟା ଅନୁଧ୍ୟାନ କରି ସମାଧାନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶାର ଏକ ପ୍ରମୁଖ ମେଡିକାଲ କଲେଜ । ହସ୍ପିଟାଲର ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମସ୍ୟା ସମାଧାନ ପ୍ରସଙ୍ଗରେ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଛାତ୍ରଛାତ୍ରୀଙ୍କ ଆଉ କିଛି ସମସ୍ୟା ଥାଏ ତେବେ ସେମାନେ ଉପଯୁକ୍ତ ଫୋରମର ଦ୍ବାରସ୍ତ ହୋଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଫଳରେ ୧୯୯୮ରୁ ବିଚାରାଧୀନ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି । ଗୟାଧର ପ୍ରଧାନ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-SCB ଅଗ୍ନି ନିରାପତ୍ତା ମାମଲା, ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ