କଟକ: ପୁଣି ଅଟକିଲା ASO ନିଯୁକ୍ତି ପରୀକ୍ଷା ମାମଲାର ଶୁଣାଣି । ପୂଜା ଛୁଟି ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଜଣିକିଆ ବିଚାରପତିଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ରିଟ୍ ଅପିଲର ଶୁଣାଣି ଦୁର୍ଗାପୂଜା ଅବକାଶ ପରେ ହେବ ବୋଲି କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି । ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଓପିଏସସି ପକ୍ଷରୁ ପୃଥକ ରିଟ୍ ଅପିଲ ଦାୟର କରାଯାଇଥିବା ନେଇ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା । ତେବେ ସମସ୍ତ ରିଟ ଅପିଲର ଦଶହରା ଅବକାଶ ପରେ ଏକତ୍ର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଣିକିଆ ବିଚାରପତିଙ୍କ ରାୟକୁ ସ୍ଥଗିତ ରଖିବାକୁ ଅଗଷ୍ଟ ୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ..ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ, 2 ମାସ ଭିତରେ ସାନି ତାଲିକା ପ୍ରକାଶ ନିର୍ଦ୍ଦେଶ
ତେବେ ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ଓଡିଶା ହାଇକୋର୍ଟ । ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ପୂର୍ବରୁ ହାଇକୋର୍ଟ ରୋକ ଲଗାଇଛନ୍ତି । ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ଏହି ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ । ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଡିଭିଜନ ବେଞ୍ଚ ଏହି ରହିତାଦେଶ ଜାରି କରିଛନ୍ତି । ସିଙ୍ଗିଲ ବେଞ୍ଚଙ୍କ ଅର୍ଡରକୁ ଚ୍ୟାଲେଞ୍ଜ କରି ଡିଭିଜନ ବେଞ୍ଚରେ ମାମଲା ଦାୟର କରିଥିଲେ ଆବେଦନକାରୀ । ASO ଚୟନ ପ୍ରକ୍ରିୟାରେ ଅନିୟମିତତା ମାମଲାର ଶୁଣାଣି କରି ଜଣିକିଆ ଖଣ୍ଡପୀଠ ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ ରଖିଥିଲେ ।