କଟକ:ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ମରାମତି ପ୍ରସଙ୍ଗ । ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ASIକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆମିକସକ୍ୟୁରୀ ପ୍ରତି ୧୫ ଦିନ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେସ ଦେଇଛନ୍ତି । ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଆଜି ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ASI । ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ, ଆସନ୍ତା ୨୪ ତାରିଖ ଜାନୁଆରୀ ୨୦୨୪ରେ ମରାମତି କାମ ଆରମ୍ଭ କରିବେ ।
ଏହି କାର୍ଯ୍ୟକୁ ୧୨୦ ଦିନ ମଧ୍ୟରେ ଦୈନିକ ୬ ଘଣ୍ଟା ଲେଖାଏଁ କରି ମରାମତି କାମ ଶେଷ କରିବେ। ମାତ୍ର କୋର୍ଟ ଏହାକୁ ଅଗ୍ରାହ୍ୟ କରି ଆସନ୍ତାକାଲିଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ASI କୋର୍ଟଙ୍କୁ ଅବଗତ କରିଥିଲେ କି, କାର୍ତ୍ତିକ ମାସ ଏବଂ ମନ୍ଦିର ଚତୁପାର୍ଶ୍ବରେ ଚାଲିଥିବା ପ୍ରକଳ୍ପ କାମର ଉଦଘାଟନ କାର୍ଯ୍ୟ ଥିବାରୁ ଏହାକୁ ଆସନ୍ତା ଜାନୁଆରୀ ୨୪ ତାରିଖରେ ଆରମ୍ଭ କରିବେ । ମାତ୍ର କୋର୍ଟ ଏହାକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି। ଶୁଣାଣି ସମୟରେ ASI ସୁପରିଟେଣ୍ଡେଣ୍ଟଙ୍କ ସମେତ ମନ୍ଦିର ପ୍ରଶାସନର ସୁପରିନଟେଣ୍ଡେଣ୍ଟ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏବଂ ଜଷ୍ଟିସ ଏମ ଏସ ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।