କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି (Odisha cricket association election) । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ । ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର 28 ତାରିଖରେ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ । ଆଶୀର୍ବାଦ ବେହେରା ପ୍ୟାନେଲ ପକ୍ଷରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇସାରିଥିବାବେଳେ ସଭାପତି ପଦ ରେସରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ ।
ତେବେ ଚଳିତ ଓସିଏ ନିର୍ବାଚନରେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଚୁଡ଼ାନ୍ତ ହୋଇ ସାରିଛି । ଏହାସହ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରା ଓ ଉପସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତିଙ୍କ ପ୍ରାର୍ଥୀତ୍ବ ମଧ୍ୟ ଚୁଡ଼ାନ୍ତ ହୋଇ ସାରିଛି । ତେବେ ଏହି ତିନି ଜଣ ପ୍ରାର୍ଥୀ ଆଶୀର୍ବାଦ ବେହେରାଙ୍କ କ୍ୟାମ୍ପ ବା ପ୍ୟାନେଲ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବେ । କିନ୍ତୁ ଏହି ତିନି ପଦ ବ୍ୟତୀତ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ମେମ୍ବର ପଦ ପାଇଁ ଆଶୀର୍ବାଦ ବେହେରାଙ୍କ ପ୍ୟାନେଲ ପକ୍ଷରୁ କେଉଁ ମାନେ ନାମାଙ୍କନ କରିବେ ତାହା ସ୍ପଷ୍ଟ ହୋଇନାହିଁ ।