କଟକ: ଆଧ୍ୟାତ୍ମିକ ଜ୍ଞାନ ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରିପାରିବ । ଏଥିପାଇଁ ଆମର ଆଧ୍ୟାତ୍ମିକ ଜ୍ଞାନର ବିକାଶ ହେବା ଆବଶ୍ୟକ । କଟକରେ ଆରମ୍ଭ ହୋଇଥିବା ଓଡିଆ ଅସ୍ମିତା ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ଏମିତି ମତ ରଖିଛନ୍ତି ମହାରାଜା ଗଜପତି ଦିବ୍ୟସିଂହ ଦେବ । କଟକରେ ଆରମ୍ଭ ହୋଇଛି ଦୁଇ ଦିନିଆ ଓଡିଆ ଅସ୍ମିତା ସମ୍ମିଳନୀ । ଶନିବାର ଏହି ସମ୍ମିଳନୀର ଉଦଘାଟନ କରି ଗଜପତି ମହାରାଜା ଓଡିଆ ଅସ୍ମିତା ସୁରକ୍ଷିତ ରଖିବା ଏବେ ଆହ୍ବାନ ପାଲଟିଛି ବୋଲି ମତ ରଖିଛନ୍ତି ।
ଗଜପତିଙ୍କ ଅନୁସାରେ ଉତ୍କଳ ଗୌରବ ମଧୁସୁଦନ ଦାସ ବାସ୍ତବ କ୍ଷେତ୍ରରେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ । ଭଗବତ୍ ଗୀତାର ଆଧ୍ୟାତ୍ମିକ ସାର ମଧୁବାବୁଙ୍କ ଭିତରେ ଭରି ରହିଥିଲା । ଯାହାଫଳରେ ମଧୁବାବୁ ଖ୍ରୀଷ୍ଟଧର୍ମ ଗ୍ରହଣ କରି ମଧ୍ୟ ଶ୍ରୀମନ୍ଦିର ପାଇଁ ମାମଲା ଲଢି ସଫଳତା ହାସଲ କରିଥିଲେ । ସେହିପରି ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହେଲେ ଜାତି, ଧର୍ମ ଆଧାରରେ ଥିବା ଭେଦଭାବ ଦୂର କରି ଆମେ ସାରା ବିଶ୍ବକୁ ନିଜର କରିପାରିବା ବୋଲି କହିଛନ୍ତି ଗଜପତି ମହାରାଜା । ଏହି ଆଧାରରେ ଆମେ ଓଡିଆ ଅସ୍ମିତାକୁ ବଞ୍ଚାଇ ରଖିପାରିବା ବୋଲି ଓଡିଆ ଅସ୍ମିତା ସମ୍ମିଳନୀରେ ମତ ରଖିଛନ୍ତି ଗଜପତି ମହାରାଜା ।
କଟକ ଶାରଳା ଭବନରେ ଆୟୋଜିତ ଏହି ଓଡିଆ ଅସ୍ମିତା ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ବିଶେଷକରି ଓଡିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ଓଡିଆମାନଙ୍କୁ କିଭଳି ପ୍ରୟାସ କରିବା ଆବଶ୍ୟକ ସେନେଇ ଏହି ସମ୍ମିଳନୀରେ ମାନସ ମନ୍ଥନ ଆରମ୍ଭ ହୋଇଛି । ଓଡିଆମାନେ ଓଡିଆ ଓ ଓଡ଼ିଶାର ଭୂଗୋଳକୁ ଭୁଲିଯିବା ଆମ ପାଇଁ ଆତ୍ମଘାତୀ ହୋଇପାରେ ବୋଲି କହିଛି ଉତ୍କଳ ସମ୍ମିଳନୀ । ତେବେ ଓଡ଼ିଆ ଅସ୍ମିତାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଉତ୍ସାହ ପ୍ରକଟ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ସମ୍ମିଳନୀରେ ଯୋଗଦେଇଥିବା ଅତିଥି ବୃନ୍ଦ ।