କଟକ: OCA ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଲା ଓଡିଶା କ୍ରିକେଟ ସଂଘ । ଚୟନ ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗକୁ ଖଣ୍ଡନ କରିଛି OCA । ରାଜଶ୍ରୀଙ୍କ ପରିବାରବର୍ଗଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଲେ OCA ସିଇଓ ସୁବ୍ରତ ବେହେରା । ବର୍ତ୍ତମାନର ପ୍ରଦର୍ଶନ ଓ ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଏ । ଚୟନ ପ୍ରକିୟାରେ କୌଣସି ତ୍ରୁଟି ନଥିବା କହିଲେ ସୁବ୍ରତ ବେହେରା ।
ମହିଳା କ୍ରିକେଟରଙ୍କ ମୃତ୍ୟୁ ନେଇ OCA CEO ସୁବ୍ରତ ବେହେରା କହିଛନ୍ତି, "ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ଆମେ ମର୍ମାହତ । ଆମେ OCAର ଜଣେ ପଞ୍ଜିକୃତ ଖେଳାଳୀଙ୍କୁ ହରାଇଲୁ । ଖେଳରେ ହାର ଜିତ ଥାଏ । କୌଣସି ଖେଳାଳୀ ଏପରି ଚରମ ପଦକ୍ଷେପ ନନେବାକୁ ଅନୁରୋଧ । ଚୟନ ପ୍ରକିୟାରେ କୌଣସି ତ୍ରୁଟି ନାହିଁ । ବର୍ତ୍ତମାନର ପ୍ରଦର୍ଶନ ଓ ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଏ । ରାଜଶ୍ରୀ ୨୫ ଜଣଙ୍କ ଭିତରେ ଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ୧୬ ଜଣଙ୍କ ଭିତରେ ସେ ନଥିଲେ । ପ୍ରଥମ ୩ଟି ମ୍ୟାଚ ପାଇଁ ୧୬ ଜଣିଆ ଟିମ୍ ଚୟନ କରାଯାଇଥିଲା ।"
ସୂଚନାଅନୁସାରେ, ଗତ ୧୧ ତାରିଖରୁ ନିଖୋଜ ଥିଲେ କ୍ରିକେଟର ରାଜଶ୍ରୀ ସ୍ବାଇଁ । ଜାନୁଆରୀ ୧୧ ତାରିଖରେ ବଜ୍ରକବାଟୀରେ ପଡିଥିବା କ୍ୟାମ୍ପରୁ ଘରକୁ ଯାଉଛନ୍ତି କହି ଫେରିନଥିଲେ ରାଜଶ୍ରୀ । ଓଡ଼ିଶା ଦଳରେ ସ୍ଥାନ ପାଇ ନଥିଲେ ରାଜଶ୍ରୀ । ଦଳରେ ସ୍ଥାନ ପାଇନଥିବା ନେଇ ରାଜଶ୍ରୀ ନିରାଶ ଥିବା ଅନୁମାନ କରାଯାଉଥିଲା । ୨ ଦିନ ହେବ ତାଙ୍କ ଫୋନ ସୁଇଚ୍ ଅଫ୍ ରହିଥିଲା । ପରିବାର ଲୋକଙ୍କ ପାଖରେ ମଧ୍ୟ ରାଜଶ୍ରୀଙ୍କ ବିଷୟରେ କୌଣସି ସୂଚନା ନଥିଲା । ମଙ୍ଗଳାବାଗ ଥାନାରେ ରାଜଶ୍ରୀଙ୍କ ନିଖୋଜ ନେଇ କୋଚ୍ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏତଲା ଆଧାରରେ ଗୋଟିଏ ଟିମ୍ ଆଠଗଡ଼ ଯାଇ ଛାନଭିନ କରିଥିଲା ।