କଟକ: କନ୍ଧମାଳ ନନ୍ ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ୧୫ ବର୍ଷ ପୁରିବାକୁ ବସିଲାଣି । କିନ୍ତୁ ଏଯାବତ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିପାରିଲା ନାହିଁ । ଦୀର୍ଘ ୧୫ ବର୍ଷ ହେଲାଣି ଅଭିଯୁକ୍ତ ମାନେ କଟକ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଧାଉଁଛନ୍ତି । ନିଜେ ପୀଡିତା ମଧ୍ୟ ଏକାଧିକବାର କୋର୍ଟରେ ହାଜର ହୋଇସାରିଲେଣି । ମାମଲା ଲମ୍ବି ଚାଲିଛି ମାତ୍ର ଶେଷ ହେବାର ନାଁ ଧରୁନାହିଁ । ଆଜି ଉଭୟ ପକ୍ଷ କୋର୍ଟରେ ହାଜର ହୋଇଥିଲେ, କିନ୍ତୁ କୋର୍ଟରେ ପୀଡିତାଙ୍କ ପକ୍ଷ କିଏ ରଖିବ, ତାର ନିଷ୍ପତ୍ତି ନହେବା କାରଣରୁ ମାମଲା ପୁଣି ଆଉ ଏକ ତାରିଖକୁ ରହିଛି । ତେଣେ କନ୍ଧମାଳରୁ କଟକ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ଅଭିଯୁକ୍ତ ।
୨୦୦୮ ମସିହା ଅଗଷ୍ଟ ମାସ ୨୪ ତାରିଖରେ ଆସିଥିଲା ଏକ ସଙ୍ଗୀନ ଅଭିଯୋଗ । କନ୍ଧମାଳରେ ଜଣେ ନନ୍ ଗଣଦୁଷ୍କର୍ମର ଶୀକାର ହୋଇଥିବା ନେଇ ୩୦ ଜଣଙ୍କ ନାଁରେ ଦାୟର ଏତଲା ହୋଇଥିଲା । ଘଟଣାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ବି ହୋଇଥିଲା । ହେଲେ ଦୁର୍ଭାଗ୍ୟଜନକ କଥା କି ମାମଲାର ୧୫ ବର୍ଷ ବିତିବାକୁ ବସିଥିବା ବେଳେ, ଅଦାଲତି ପ୍ରକ୍ରିୟା ଉପରେ ଲାଗିପାରିଲା ନାହିଁ ପୂର୍ଣ୍ଣଚ୍ଛେଦ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୂତାବକ, କଟକ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏହି ଚର୍ଚ୍ଚିତ ମାମଲାର ଶୁଣାଣି ଚାଲିଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଆଜି ପୀଡିତା ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଏବଂ ୧୮ ଜଣ ଅଭିଯୁକ୍ତ ବି କନ୍ଧମାଳରୁ ଆସି କୋର୍ଟରେ ହାଜିରା ଦେଇଥିଲେ । କିନ୍ତୁ କୋର୍ଟରେ ପୀଡିତାଙ୍କ ପକ୍ଷ ରଖିବାଲାଗି ନିଯୁକ୍ତ ହୋଇନଥିଲେ ଓକିଲ । ଯାହାକୁ ନେଇ କୋର୍ଟ କ୍ଲାରିଫିକେସନ ମାଗିଛନ୍ତି । ତାହା ସ୍ଥିର ହେଲା ପରେ ପୁଣି ଆଉ ଏକ ତାରିଖ ହେବ ଏବଂ ପୁଣିଥରେ ଉଭୟ ପକ୍ଷ ହାଜର ହେବେ ।