କଟକ: ମହାବଳ ବାଘକୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ବାଇଁଙ୍କର ଦେହାନ୍ତ ହୋଇଛି । କଟକ ସିଦ୍ଧେଶ୍ବର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା ।
1974 ମସିହାରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୂରୀ ସ୍ତ୍ରୀ ନିହାର ନଳିନୀଙ୍କ ସହ ବୁଲୁଥିବା ସମୟରେ ସ୍ଥାନୀୟ ଖାଇରା ନଦୀ କୂଳରୁ ଏକ ବାଘ ଛୁଆଟିକୁ ଏକୁଟିଆ ପାଇ ତାକୁ ଘରକୁ ଆଣିଥିଲେ ।
ଦୀର୍ଘ 7 ବର୍ଷ ଧରି ନିଜ ପିଲା ଭଳି ତା’ର ଲାଳନ ପାଳନ କରିଥିଲେ ନିହାର ନଳିନୀ । ଆଉ ଘର ଅଗଣାରେ ରହୁଥିବା ବାଘ ଦେଖିବାକୁ ଆସୁଥିଲେ ଲୋକେ । 1981 ମସିହାରେ ବାଘଟିର ମୃତ୍ୟୁ ହୋଇଥିଲା ।