କଟକ:NHIର ମନମାନି କାମକୁ ନେଇ ଅଣନିଶ୍ବାସୀ କଟକବାସୀ । କଟକ ଶିଖରପୁର ଅଣ୍ଡର ପାସରେ ଚାଲିଥିବା NHIର ମନମାନି କାମ ଏବେ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି ।
ସୂଚନାନୁସାରେ, କଟକ ଶିଖରପୁର ଅଣ୍ଡରପାସ୍ କାର୍ଯ୍ୟ NHI ଅଣ୍ଡରରେ ଚାଲିଛି । ହେଲେ NHI କର୍ତ୍ତୃପକ୍ଷ କାମ ଆରମ୍ଭରୁ ହିଁ ନିଜ ମନମାନି ଚଳାଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ରାସ୍ତା କଡ଼ରେ ବଡ଼ ବଡ଼ ଗର୍ତ୍ତ କରିଦେଇ ଖୋଲା ଛାଡି ଦେଇଛନ୍ତି କର୍ତ୍ତୃପକ୍ଷ । ନା ଲଗାଯାଇଛି କୌଣସି ସୂଚନାଫଳକ ନା କୌଣସି ବ୍ୟାରିକେଟ୍ । ଫଳରେ ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଏଠାରେ କାମ ଚାଲୁଥିବାରୁ ଅନେକ ଧୂଳି ଉଡୁଛି । ଫଳରେ କିଛି ଲୋକ ଏହି ପ୍ରଦୂଷଣରେ ଅନେକ ହଇରାଣ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ସୁଦ୍ଧା କେହି ଶୁଣୁ ନାହାଁନ୍ତି । ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ଚୌଦ୍ଵାର ବିଧାୟକ ସୌଭିକ ବିଶ୍ୱାଳ ।
ବିଧାୟକ ସୌଭିକ କହିଛନ୍ତି, ''ବାରମ୍ବାର ଆମେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏହାର ସମାଧାନ କରିବା ପାଇଁ କହିବା ସତ୍ତ୍ବେ କୌଣସି ସୁଧାର ଆସୁନାହିଁ । ଯାହଫଳରେ ନାନା ସମସ୍ୟା ସୃଷ୍ଟି ହେଉଛି । ଏପରିକି ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । କେବଳ କଟକ ଶିଖରପୁର ଅଣ୍ଡର ପାସ୍ ନୁହେଁ NHI ଅଣ୍ଡରରେ ଥିବା ମଙ୍ଗୁଳିରୁ ଯେଉଁ ରାସ୍ତାଟି ଚୌଦ୍ବାରର ମୁଖ୍ୟ ରାସ୍ତାର ମଝି ଦେଇ ଯାଇଛି ସେହି ରାସ୍ତାର ଦୁଇପଟ ପାର୍ଶ୍ବରେ ଜନବସତି ଅଛି । ସେଠାରେ ପାଖାପାଖି 50 ହଜାର ଲୋକ ରହୁଛନ୍ତି । ତେବେ ଏହି ରାସ୍ତାର ଦୁଇପଟ ପାର୍ଶ୍ବରେ NHI କାମ ଚାଲିଛି ।