କଟକ: ପରିବେଶ ମଞ୍ଜୁରୀ ନଥାଇ ଭୁବନେଶ୍ବର ତହସିଲ ଅନ୍ତର୍ଗତ ନଖରା ଠାରେ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ମାମଲାରେ ଜାତୀୟ ସବୁଜ ନ୍ୟାୟାଧିକରଣ(NGT) ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏନଜିଟି ପ୍ରତାପ ଚନ୍ଦ୍ର ମହାନ୍ତି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଏହି ପ୍ରକଳ୍ପ ନିର୍ମାଣ ଉପରେ ରହିତାଦେଶ ଜାରି କରିଛନ୍ତି NGT । ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନଜିଟି ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାଞ୍ଚଳ ଆରଡିସି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଓ ଅନ୍ୟମାନଙ୍କୁ ଚାରି ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ଏନଜିଟି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧, ଜାନୁଆରି ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।
ମାମଲାରୁ ପ୍ରକାଶ ଯେ, ସମ୍ ହସ୍ପିଟାଲ ଦ୍ବିତୀୟ କ୍ୟାମ୍ପସ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିନା କୌଣସି ପରିବେଶ ମଞ୍ଜୁରୀରେ ଆରମ୍ଭ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି । ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଏହି ନିର୍ମାଣ କାର୍ଯ୍ୟ କରାଯାଉଥିବା ସ୍ଥାନ ଜଳାଶୟ ଯାହାର କିସମ ନୟନଜୋରୀ । ୨୦୨୧, ସେପ୍ଟେମ୍ବର ୪ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସ ପ୍ରକଳ୍ପ ନିର୍ମାଣ ପାଇଁ ୮.୯୪ ଏକର ଜମି ପ୍ରଦାନ କରିଥିଲା । ଏହି ପ୍ରକଳ୍ପ ଅଧିନରେ ୮୯,୭୧୨.୨୩ ବର୍ଗ ମିଟରରେ ସ୍ଥାନରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏଥିଲାଗି ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ପରିବେଶ ମଞ୍ଜୁରୀ ମିଳିନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।