କଟକ: ସୁନ୍ଦରଗଡ଼ରେ ବଢୁଛି ଶିଳ୍ପ । ସଂସ୍ଥାର କାର୍ଯ୍ୟକଳାପ ଯୋଗୁଁ ପରିବେଶ ଉପରେ ଏହାର କୁପ୍ରଭାବ ବି ପଡୁଛି । କିନ୍ତୁ ଏଥି ପ୍ରତି ଯେମିତି କାହାର ନିଘା ନାହିଁ । ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏକ କମିଟି ଗଠନ କରିଛି ଏନଜିଟି । ଏହା ସହ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ୧୫ଟି ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଜାତୀୟ ଗ୍ରୀନ ଟ୍ରିବୁନାଲ । ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଶିଳ୍ପସଂସ୍ଥାର କାର୍ଯ୍ୟକଳାପର ପରିବେଶ ଉପରେ ପ୍ରଭାବକୁ ଜାତୀୟ ଗ୍ରିନ ଟ୍ରିବୁନାଲ ଗୁରୁତ୍ବର ସହ ନେଇଛନ୍ତି । ଏକ ଚିଠି ମାଧ୍ୟମରେ ଦାଖଲ ହୋଇଥିବା ଅଭିଯୋଗକୁ ଏନଜିଟି ବିଚାର ପାଇଁ ଗ୍ରହଣ କରିଛନ୍ତି ।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଚିବଙ୍କ ସହିତ ସୁନ୍ଦରଗଡ଼ର ୧୧ଟି ଶିଳ୍ପ ସଂସ୍ଥାକୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି । ୧୫ଟି ପ୍ରତିପକ୍ଷଙ୍କୁ ଏନଜିଟି ନୋଟିସ୍ ଜାରି କରିବା ସହିତ ଚାରି ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚିଠି ମାଧ୍ୟମରେ ଦାଖଲ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ଏହି ମାମଲା ପରିଚାଳନା ପାଇଁ ଆଇନଜୀବୀ ଶଙ୍କର ପ୍ରସାଦ ପାଣିଙ୍କୁ ଆମିକସ କ୍ୟୁରି ଭାବେ ଏନଜିଟି ନିଯୁକ୍ତି ଦେଇଛନ୍ତି । ଘଟଣାସ୍ଥଳ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଏନଜିଟି ଏକ କମିଟି ଗଠନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାପାଳ ବା ତାଙ୍କ ପ୍ରତିନିଧି (ଏଡିଏମ ପାହ୍ୟାର ଅଧିକାରୀ), ରାଜ୍ୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଲେଖାଏଁ ବରିଷ୍ଠ ବୈଜ୍ଞାନିକ, ଆମିକସ୍ କ୍ୟୁରି ଶଙ୍କର ପ୍ରସାଦ ପାଣିଙ୍କୁ ନେଇ ଗଠିତ କମିଟି ଘଟଣାସ୍ଥଳ ପରିଦର୍ଶନ କରିବ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଏନଜିଟିରେ ମାମଲା, ଜିଲ୍ଲାପାଳ କହିଲେ କୌଣସି ବେନିୟମ କାର୍ଯ୍ୟ କରାଯାଇନାହିଁ
ଅଭିଯୋଗରେ ଉଲ୍ଲେଖ କରାଯାଇଥିବା ୧୧ଟି ଶିଳ୍ପ ସଂସ୍ଥାର ସ୍ଥିତି ଅନୁଧ୍ୟାନ କରିବ କମିଟି । ୨ ମାସ ଭିତରେ କମିଟି ଏହାର ରିପୋର୍ଟ ଦାଖଲ କରିବ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଯଦି ନିୟମ ଉଲ୍ଲଘଂନ ହୋଇଥିବା ଜଣାପଡ଼େ ତେବେ ଜରିମାନା ଓ ପରିବେଶ କ୍ଷତିପୂରଣ ପ୍ରସଙ୍ଗରେ କମିଟି ସୁପାରିସ କରିବ । ଏଥି ସହିତ ସ୍ଥିତିରେ ସୁଧାର ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ କମିଟି ପରାମର୍ଶ ଦେବ । ସୁନ୍ଦରଗଡ଼ ଜିଲ୍ଲାପାଳ ନୋଡାଲ ପରିଷଦ ଭାବେ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ଏନଜିଟି କହିଛନ୍ତି । ୨୦୨୪, ଫେବ୍ରୁଆରୀ ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଏନଜିଟି ସୁଧାଂଶୁ ଶେଖର ପାତ୍ର ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
କଣ ରହିଛି ମାମଲା ?
ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ପଞ୍ଜ ଆଇରନ, ଇସ୍ପାତ ଓ ଅନ୍ୟ ଶିଳ୍ପ ସଂସ୍ଥାଙ୍କ ବେଆଇନ କାର୍ଯ୍ୟକଳାପରେ ପରିବେଶ ଉପରେ କୁପ୍ରଭାବ ପଡ଼ୁଛି ବୋଲି ଅଭିଯୋଗ ହୋଇଛି । ଏହି ସବୁ ଶିଳ୍ପ ସଂସ୍ଥା ନିଜ କାର୍ଯ୍ୟକଳାପ ଓ ଏହାର ପ୍ରଭାବ ପ୍ରସଙ୍ଗରେ ବିଲଖୁଲବି ଚିନ୍ତା କରୁନାହାନ୍ତି । କେତେକ ପ୍ଲାଣ୍ଟ ଭିତରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସରଞ୍ଜାମ ଓ ବ୍ୟବସ୍ଥା ନାହିଁ । ସ୍ପଞ୍ଜ ଆଇରନ ୟୁନିଟରେ ଡିଡଷ୍ଟିଂ ସିଷ୍ଟମ ନାଁକୁ ମାତ୍ର ରହିଛି । ଧୂଳି ନ ଉଡ଼ିବା ପାଇଁ ରହିଥିବା ବ୍ୟବସ୍ଥାର ରକ୍ଷଣାବେକ୍ଷଣ କରାଯାଉ ନାହିଁ, ତ୍ରୁଟିପୂର୍ଣ୍ଣ ବ୍ୟାଗ ସହିତ ଏହା କାର୍ଯ୍ୟ କରୁଛି। ବିଶୋଧନ ନକରି ପ୍ଲାଣ୍ଟରୁ ଛଡ଼ା ଯାଉଥିବା ଦୂଷିତ ଜଳ ନଦୀ, ଚାଷ ଜମି, କୂଅକୁ ଯାଉଛି । ଶିଳ୍ପ ସଂସ୍ଥା ଗୁଡିକରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନାହିଁ । ଶିଳ୍ପ ସଂସ୍ଥା ଗୁଡିକର କାର୍ଯ୍ୟକଳାପ ଯୋଗୁଁ ବାୟୁ ପ୍ରଦୂଷିତ ହେଉଛି । ଅଙ୍ଗାର ସ୍ତୁପ ପ୍ରଦୂଷଣ ଉପରେ କୁପ୍ରଭାବ ପକାଉଛି । କେବଳ ସେତିକି ନୁହେଁ, ବର୍ଷା ଦିନେ ଅଙ୍ଗାର ବର୍ଷାଜଳ ସହିତ ଚାଷ ଜମିକୁ ଯାଇ ମାଟିର ଉତ୍ପାଦନ କ୍ଷମତା ହ୍ରାସ କରୁଛି । ଯାହାଫଳରେ ପ୍ରଦୂଷଣ ପାଇଁ ଅଞ୍ଚଳବାସୀ ନାନା ସମସ୍ୟା ର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି ।
ଇଟିଭି ଭାରତ, କଟକ