କଟକ: ଅସୁମାରି ସ୍ବପ୍ନ ନେଇ ଧରିଥିଲେ ପ୍ରେମିକର ହାତ । ଅଗ୍ନିକୁ ସାକ୍ଷୀ ରଖି ବିବାହ ହେଲା କିନ୍ତୁ ବେଶିଦିନ ସେ ଖୁସି ରହିଲାନି । ବିବାହକୁ ମାତ୍ର 6 ମାସ ପୂରୁଣୁ ସୁଚିତ୍ରାଙ୍କ ଘଟିଛି ସନ୍ଦେହ ଜନକ ମୃତ୍ୟୁ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଧିନସ୍ଥ ସିପୁରା ଗାଁରେ ।
ସୁଚିତ୍ରା ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା କହୁଛନ୍ତି ଶାଶୂଘର ଲୋକେ । ହେଲେ ଏପଟେ ପାଲଟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ । ଭଉଣୀକୁ ଯୌତୁକ ପାଇଁ ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଥାନାରେ ଅଭିଯୋଗ କରିଛନ୍ତି ସେ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୁରା ଘଟଣା ଏମିତି, ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମର ଉତ୍ତମ ଜେନାଙ୍କୁ ପ୍ରେମ ବିବାହ କରିଥିଲେ ଟାଙ୍ଗୀ ଥାନା ବିରଳ ଗାଁର ଧୀରେନ୍ଦ୍ର ସାମଲଙ୍କ ଝିଅ ସୁଚିତ୍ରା ସାମଲ । ସୁଚିତ୍ରାଙ୍କ ବଡ଼ଭଉଣୀ ମଧ୍ୟ ଉତ୍ତମଙ୍କ ବଡଭାଇ ବିଶ୍ବପ୍ରକାଶକୁ ବିବାହ କରିଛନ୍ତି । ଏପଟେ ମୃତକଙ୍କ ବାପାଘର ଲୋକଙ୍କ କହିବା ଅନୁଯାୟୀ, ବିବାହ ପରଠୁ ସୁଚିତ୍ରାକୁ ଶାଶୂଘରେ ଦିଆ ଯାଉଥିଲା ଅକଥନୀୟ ନିର୍ଯ୍ୟାତନା l ସ୍ବାମୀ ଉତ୍ତମ ପରକୀୟା ପ୍ରୀତିରେ ଲିପ୍ତ ସାଙ୍ଗକୁ ନିଶାଶକ୍ତ ଅବସ୍ଥାରେ ରହୁଥିଲେ । ଯାହାକୁ ନେଇ ଝଗଡା ଲାଗି ରହୁଥିଲା । ହେଲେ ଏପରିସ୍ଥିତିରେ ସୁଚିତ୍ରା ଅଚାନକ ଆତ୍ମହତ୍ୟା କରିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।