କଟକ: କିନ୍ନର ଖେଳୁଛି ରକ୍ତର ହୋଲି । ଗୋଟିଏ ପରେ ଗୋଟିଏ କରୁଛି ମର୍ଡର । ନିଜର ପ୍ରେତିଶୋଧ ନେବା ଉଦ୍ଦେଶ୍ୟରେ ଏପରି ଆଚରଣ କରୁଛି କିନ୍ନର । ଏହା କୌଣସି ରିଅଲ କ୍ରାଇମ ନୁହେଁ ବରଂ ରିଲ । ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଯାଇଛି ନୂଆ ଓଡ଼ିଆ ଫିଲ୍ମ 'ନାରୀ ନୁହେଁ ତୁ ଅର୍ଦ୍ଧନାରୀ' । ସମାଜରେ କିନ୍ନରମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି ।
କଟକ ସ୍ଥିତ ବୃନ୍ଦାବନ ପ୍ରେକ୍ଷାଳୟରେ ଶୁକ୍ରବାର ଚଳଚ୍ଚିତ୍ରର ପ୍ରିମିୟର ହୋଇଛି । ଫିଲ୍ମରେ ଦୁଇଜଣ ଅଭିନେତ୍ରୀଙ୍କ ସହ ଦୁଇଜଣ ଅଭିନେତା ନଜର ଆସିଛନ୍ତି । ମୁଖ୍ୟ ଚରିତ୍ରରେ ରୋଶନ ନନ୍ଦ ଅଭିନୟ କରିଥିବା ବେଳେ ନାୟିକା ଭାବେ ନବଗତା ପାୟଲ ଏବଂ ଲକ୍ଷ୍ମୀପ୍ରିୟା ନଜର ଆସିଛନ୍ତି । ସେହିପରି ସମ୍ବିତ କୁମାର ସାହୁ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି । ରୋଶନ ଜଣେ ପୋଲିସ ଚରିତ୍ରରେ ନଜର ଆସିଛନ୍ତି । ସେହିପରି ଦୁଇ ନବଗତା ଅଭିନେତ୍ରୀଙ୍କ ଦମଦାର ରୋଲ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ତେବେ ଉଭୟଙ୍କ ଚରିତ୍ରକୁ ନେଇ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଫିଲ୍ମର ଟିମ ଆଶା ରଖିଛି । ଚନ୍ଦ୍ରାବତୀ ଭିଜନ ନିବେଦିତ ଏହି ଫିଲ୍ମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ସମ୍ବିତ । ସେ ଏହି ଫିଲ୍ମର କାହାଣୀକୁ ଲେଖିଥିବା ବେଳେ ଜଣେ କିନ୍ନର ଚରିତ୍ରରେ ନଜର ଆସିଛନ୍ତି । ସମାଜରେ ଜଣେ କିନ୍ନର କେଉଁ କେଉଁ ସମସ୍ୟା ଭୋଗୁଛନ୍ତି, ତାହା ଏଠାରେ ଦର୍ଶାଯାଇଛି ।