କଟକ:କଟକରେ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ କରି ବାଃ ବାଃ ସାଉଁଣ୍ଟୁଛନ୍ତି ସରକାର । ହେଲେ ବ୍ୟବସାୟୀମାନଙ୍କ ଠୁ ନେଇ ଘରୋଇ ବସ ମାଲିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି । ବାଦାମବାଡିରୁ ବସ ଷ୍ଟାଣ୍ଡ ଖାନନଗର ଉଠିଯିବାରୁ ବ୍ୟବସାୟ ଏକପ୍ରକାର ଠପ ହୋଇଯାଇଥିଲା ବେଳେ ସେମାନଙ୍କ ଜୀବନଜୀବିକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ପାର୍କିଂ ଫିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଘରୋଇ ବସ ମାଲିକ ସଂଘ ।
85 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ନିର୍ମିତ ହେଲା ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ । ପାଖାପାଖି 15ଏକର ଜମିରେ ନିର୍ମିତ ଏହି ବିଶ୍ୱସ୍ତରୀୟ ନେତାଜୀ ଟର୍ମିନାଲରେ ଯାତ୍ରୀ ଓ ବସ ରହଣୀ ପାଇଁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି । ହେଲେ ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀ ଓ ଘରୋଇ ବସ ମାଲିକମାନଙ୍କ ପାଇଁ ଆଣିଦେଇଛି ଦୁଃଖ । ବସଷ୍ଟାଣ୍ଡ୍ ସ୍ଥାନାନ୍ତର ହେବାରୁ ବ୍ୟବସାୟୀମାନଙ୍କ ବ୍ୟବସାୟ ଏକପ୍ରକାର ଠପ ହୋଇଯାଇଛି । ସେମାନଙ୍କୁ ଥଇଥାନ କରିବା ନେଇ ବାରମ୍ବାର ଦାବି ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ପୁରୁଣା ବସଷ୍ଟାଣ୍ଡ୍ ବ୍ୟବସାୟୀ ।
ପୁରୁଣା ବସ୍ ଷ୍ଟାଣ୍ଡ ବ୍ୟବସାୟୀ ସଂଘର କହିବାନୁଯାୟୀ, ରାତାରାତି ବସଷ୍ଟାଣ୍ଡ୍ ସ୍ଥାନାନ୍ତର କରାଗଲା । ହେଲେ ବ୍ୟବସାୟୀମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା କରାଗଲା ନାହିଁ । ଏନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଖାଲି ପ୍ରତିଶ୍ରୁତି ଦିଆଯାଇଛି । ହେଲେ ବାସ୍ତବିକ କୌଣସି ପଦକ୍ଷେପ ନିଆଯାଇନାହିଁ । ଯେଉଁଥିପାଇଁ ବ୍ୟବସାୟୀମାନଙ୍କ ପରିବାରର ଭବିଷ୍ୟତ ଏବେ ଅନ୍ଧକାରରେ । 150ରୁ ଅଧିକ ବ୍ୟବସାୟ ବାଦାମବାଡ଼ି ବସଷ୍ଟାଣ୍ଡ ନିର୍ଭର କରିଥିବା ବେଳେ ଏବେ ସେମାନଙ୍କ ଜୀବନଜୀବିକା ଠପ ହୋଇଯାଇଛି ।
ଏହାମଧ୍ୟ ପଢନ୍ତୁ..ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କୁ କଡା ବିରୋଧ
ଅନ୍ୟପଟେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନେତାଜୀ ବସ୍ ଟର୍ମିନାଲରେ ପାର୍କିଂ ଫି'କୁ ନେଇ ଅସନ୍ତୋଷ ଦେଖାଯାଇଛି । କଟକ ଘରୋଇ ବସ ମାଲିକ ସଂଘର ଉପସଭାପତିଙ୍କ କହିବାନୁଯାୟୀ, "ପୁରୁଣା ବସଷ୍ଟାଣ୍ଡରେ ଦିନକୁ 15ଟଙ୍କା ଫି ଦେବାକୁ ପଡ଼ୁଥିବା ବେଳେ ବର୍ତ୍ତମାନ ଦିନକୁ 200 ଟଙ୍କା ଫି' ଦେବାକୁ କୁହାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପରେ ଆଲୋଚନା ପରେ ଏଥିରେ ସୁଧାର ଆଣିବାକୁ ପ୍ରତିଶ୍ରୁତି ମିଳିଛି । ତେବେ ଏତେ ଟଙ୍କା ଏଣ୍ଟ୍ରି ଫି' ଦେଲେ ଘରୋଇ ବସ୍ ଚାଲିପାରିବ ନାହିଁ ।"
ସେ ଆଉ ମଧ୍ୟ କହିଛନ୍ତି ଯେ, ନୂତନ ବସଷ୍ଟାଣ୍ଡ୍ରେ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ । ଯାତ୍ରୀମାନଙ୍କ ପାଇଁ ଜଳଖିଆ କିମ୍ୱା ଖାଦ୍ୟର ସୁବିଧା ମଧ୍ୟ ନାହିଁ । ଯେଉଁଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୂରରୁ ଆସୁଥିବା ଯାତ୍ରୀ ।