କଟକ:ବର୍ଷ ବର୍ଷ ହେଲାଣି କର୍କଟ ସହ ଲଢୁଛନ୍ତି 80 ବର୍ଷର ବୃଦ୍ଧା । ଗତ 6 ବର୍ଷରେ 8 ଥର ଶରୀରରେ କର୍କଟ ଅସ୍ତ୍ରୋପଚାର ସରିଲାଣି । ତଥାପି ଭାଙ୍ଗି ପଡିନାହାନ୍ତି କାମା ନାହାକ । ପ୍ରାଣଘାତି ରୋଗ ସହ ଲଢୁଥିବା ଏହି ବୃଦ୍ଧା ଏବେ ଅନ୍ୟ ରୋଗୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ବୃଦ୍ଧା ହେଉଛନ୍ତି ନୟାଗଡ଼ ଜିଲ୍ଲା ହରିଦେଇପୁର ଅଞ୍ଚଳର କାମା ନାହାକ । ଦୀର୍ଘ ୨୦ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ମହେଶ୍ୱରଙ୍କ ପରଲୋକ ହୋଇସାରିଛି । ପୁଅ ବିଭୂତି ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସ୍ୱାମୀ ଓ ପୁଅଙ୍କୁ ହରାଇ ଅସହାୟ ହେବା ସତ୍ତ୍ୱେ କାମା ଜୀବନ ସଂଘର୍ଷରେ ହାରି ଯାଇନାହାନ୍ତି । ମାରାତ୍ମକ କର୍କଟ ରୋଗରେ ପୀଡିତ ହୋଇ ସେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ସର୍ଜରୀ ବିଭାଗରେ ଚିକିତ୍ସା ହେଉଛନ୍ତି ।
କାମା ଆଜକୁ 7 ବର୍ଷ ହେବ କର୍କଟ ରୋଗ ସହ ଯୁଝୁଛନ୍ତି । ଶରୀରର ଗୋଟିଏ ପରେ ଗୋଟିଏ ଅଙ୍ଗକୁ ରୋଗ ମାଡିଯାଉଛି । ପାଞ୍ଚ ଦିନ ପୂର୍ବେ ଅସ୍ତ୍ରୋପଚାର କରାଯାଇ ତାଙ୍କର ଡାହାଣ ପଟ କାନ୍ଧର ହାଡକୁ କାଢି ଦିଆଯାଇଛି । ହେଲେ ତାଙ୍କୁ ଭେଟିଲେ ଲାଗିବ ନାହିଁ ଯେ ସେ ଏଭଳି ଦୁରାରୋଗ୍ୟରେ ପୀଡିତ ବୋଲି । ଥରେ କି ଦୁଇ ଥର ନୁହେଁ 8 ଥର ଅସ୍ତ୍ରୋପଚାର ପରେ ମଧ୍ୟ ଭାଙ୍ଗି ପଡିନାହାନ୍ତି 80 ବର୍ଷୀୟା କାମା । ହସହସ ମୁହଁରେ କଥା ହେଉଛନ୍ତି । ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ କର୍ମଚାରୀ ସମସ୍ତେ ତାଙ୍କୁ ଆପଣେଇ ନେଇଛନ୍ତି । ସାଧାରଣତଃ କର୍କଟ ରୋଗ ନା ଶୁଣିଲେ ରୋଗୀ ମାନସିକ ସ୍ତରରେ ଭାଙ୍ଗି ପଡେ । ବିଚଳିତ ହୋଇପଡେ । ମୃତ୍ୟୁକୁ ନିକଟରୁ ଦେଖିପାରେ । କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛନ୍ତି କାମା ।