ନିଆଳି: ସବୁଜିମାରେ ହସୁଛି ରାଜଧାନୀ ଉପକଣ୍ଠ । ମନୁଷ୍ୟ ସମାଜ ପାଇଁ ବୃକ୍ଷ ନିହାତି ଆବଶ୍ୟକ, ଏହା ହିଁ ଆମର ପ୍ରକୃତ ବନ୍ଧୁ । ଏହି କଥାକୁ ଖୁବ ଭଲଭାବେ ବୁଝିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବାଳକାଟି ଅଞ୍ଚଳର ହୀରାପୁର ଗ୍ରାମର ଦୀନବନ୍ଧୁ ଭୋଇ । ଯିଏକି ୭ ବର୍ଷ ମଧ୍ୟରେ ଲଗାଇଲେଣି ପ୍ରାୟ ୨୦ ହଜାରରୁ ଅଧିକ ବୃକ୍ଷ । ସେ ରାଜଧାନୀ ଉପକଣ୍ଠ ବାଳକାଟି, ବାଲିଅନ୍ତା ଓ ଏହାର ଆଖପାଖ ଅଞ୍ଚଳରେ ନିଜ ଫାଉଣ୍ଡେସନ ସହାୟତାରେ ଗଛ ଲଗାଇଛନ୍ତି । ଏଥିଲାଗି ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।
ଗଛ ଲଗାଇ ପ୍ରକୃତି ପ୍ରେମୀ ଭାବେ ନୂଆ ପରିଚୟ ପାଇଥିବା ଦୀନବନ୍ଧୁଙ୍କ ପିଲା ବେଳୁ ସମାଜ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ସମାଜ ପାଇଁ ସର୍ବଦା କିଛି କରିବା ଲାଗି ସେ ଉଦ୍ୟମ ଜାରି ରଖିଥିଲେ । ଯାହାକି ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ଏବେ ଅହେତୁକ ମାତ୍ରାରେ ଜଙ୍ଗଲ କ୍ଷୟ ହେଉଛି । ଫଳରେ ପ୍ରଦୂଷଣ ମାତ୍ରା ବଢିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇଛି । ସବୁଜିମା ବଦଳରେ ଆକାଶ ଛୁଆଁ କୋଠା ଆଗାମୀ ପୀଢି ପାଇଁ ଢେର ବିପଦ ସୃଷ୍ଟି କରିବାକୁ ଯାଉଛି । ନାଲି ନୀଳ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି ହେଲେ ସମାଜ ପରିବର୍ତ୍ତନ ପାଇଁ ଗଛ ଲଗାଇବା କାହାରି ଦାୟିତ୍ଵ କିମ୍ବା ମୂଲ୍ୟବୋଧ ନଥିଲା ପରି ମନେ ହେଉଛି ।
ଠିକ ସମୟରେ ଠିକ ନିଷ୍ପତ୍ତି ନ ନେଲେ ପରିବେଶ ଧ୍ବଂସାଭିମୁଖୀ ହୋଇଯିବ। ମନରେ ଏହି ଆଶା ଓ ଆଶଙ୍କା ରଖି ୨୦୧୫ ମସିହାରୁ ଦୀନବନ୍ଧୁ ଆରମ୍ଭ କରିଛନ୍ତି ବୃକ୍ଷରୋପଣ । ଯେଉଁଠି ଦେଖିଲେ ସେଇଠି ଗଛଟିଏ ଲଗାଇ ଦିଅନ୍ତି ଦୀନବନ୍ଧୁ। ସେ ରାସ୍ତାକଡ଼ ହେଉ କିମ୍ବା ନଦୀପଠା କିମ୍ବା ଅନାବାଦୀ ଜମି ପ୍ରତ୍ୟେକ ସ୍ଥାନରେ ଗଛଟିଏ ଲଗାନ୍ତି ଦୀନବନ୍ଧୁ । ଆମ୍ବ ଗଛଠାରୁ ଆରମ୍ଭ କରି ଜାମୁ, ତାଳ, ଚାଖୁଣ୍ତା, ଖେରସ, ଶିଶୁ, ଆକାଶିଆ, ପଟାସ ଏମିତି ଅନେକ ପ୍ରକାରର ଚାରା ସଂଗ୍ରହ କରି ସେ ଗଛ ଲଗାଇ ଚାଲିଛନ୍ତି । ବାଳକାଟିଠାରୁ ଟଙ୍କପାଣି ରାସ୍ତାର ଉଭୟ ପାର୍ଶ୍ବ ସମୁଜିମାରେ ହସୁଥିବା ବେଳେ ଗଡଖୁଣ୍ତିଆ ସୁଦର୍ଶନ ଦାରୁ ପୀଠ ତଥା ଭାର୍ଗବୀ ନଦୀ ପଠାରେ ଶିଶୁ ଗଛ ବେଶ ସବୁଜିମାରେ ପରିପୂର୍ଣ୍ଣ।
ଏହା ବି ପଢନ୍ତୁ- ରଥ ଖଳାରେ କୁନି କାରିଗର, ଶିଖୁଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ