କଟକ:ହାଇକୋର୍ଟରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ମାମଲା । ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏପ୍ରିଲ ୩୦ ତାରିଖ ସୁଦ୍ଧା ହେବ ମରାମତି କାର୍ଯ୍ୟ । ଏନେଇ ଆମିକସକ୍ୟୁରୀଙ୍କୁ ଏଏସଆଇ ମୌଖିକ ଭାବରେ ଜଣାଯାଇଥିବା ବେଳେ ଆସନ୍ତା ସପ୍ତାହରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଗତ ଶୁଣାଣିରେ ଏହି ମାମଲାର ଶୁଣାଣି କରି ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୧୭ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ନାଟ୍ୟ ମଣ୍ଡପ, ରତ୍ନଭଣ୍ଡାର ମରାମତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଭିଷେକ ଦାସ ଓ ଦିଲ୍ଲୀପ ମହାପାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବକୁ ନେଇ ପୂର୍ବ ଶୁଣାଣିରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ। କାହିଁକି ଏହାର ମରାମତି ବିଳମ୍ବିତ କରାଯାଉଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ, ଏଏସଆଇ ଉପରେ ବିରକ୍ତି ପ୍ରକାଶ କରିଥିଲେ। କାହିଁକି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନାହିଁ ସେ ନେଇ ମଧ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପ ମରାମତି ମାମଲାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଥିଲେ ହାଇକୋର୍ଟ। ତେବେ 2017 ମସିହାରୁ ଆଜି ପର୍ଯ୍ୟନ୍ତ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ କୋର୍ଟ ନିର୍ଦେଶ ଦେଇଥିଲେ।