ଓଡିଶା

odisha

ETV Bharat / state

ନିଆଳିକୁ ଫେରିଲା ଅଜଣା ଜନ୍ତୁ: ଖାଇଗଲା ବାଛୁରୀ, 4 ମେଣ୍ଢା ମୃତ

ନିଆଳି ବ୍ଳକ ଓଳାଷଂ ଗାଁରେ ଅଜଣା ଜନ୍ତୁ ଆତଙ୍କ । ରାତି ଅଧରେ ଖାଇଗଲା ବାଛୁରୀ ଛୁଆ । 4 ମେଣ୍ଢା ମଧ୍ୟ ମୃତ । ଯାହାକୁ ନେଇ ଚିନ୍ତାରେ ମେଷ ପାଳକ । ଅଧିକ ପଢନ୍ତୁ

By

Published : Jul 16, 2023, 10:37 AM IST

Updated : Jul 16, 2023, 12:44 PM IST

mysterious animal
mysterious animal

mysterious animal

ନିଆଳି: ନିଆଳିରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ । ଗୁହାଳରେ ପଶି ବାଛୁରୀର ଜୀବନ ନେଲା ଅଜଣା ଜନ୍ତୁ । ମେଣ୍ଢା ମାନଙ୍କୁ ଆକ୍ରମଣ କରୁଥିବା ଏବେ ନିଷ୍ପାପ ବାଛୁରୀ ଛୁଆକୁ ଖାଇଗଲା ଅଜଣା ଜନ୍ତୁ । ତେବେ କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତର ଓଳାଷଂ ଗାଁରେ ଅଜଣା ଜନ୍ତୁ ରାତି ଅଧରେ ଗୁହାଳରୁ ବାଛୁରୀ ଛୁଆକୁ ଖାଇ ଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ନିଆଳି ବ୍ଳକର ଓଳାଷଂ ଗାଁର ନିକୁଞ୍ଜ ବିହାରୀ ସାହୁ ଗତକାଲି ରାତିରେ ଗାଈ ଓ ବାଛୁରୀଙ୍କ ଗୁହାଳ କାମ କରିବା ପରେ ପୁନଶ୍ଚ ରାତି ୨ଟାରେ ଗୁହାଳକୁ ଆସି ଗାଈ ଓ ବାଛୁରୀ ଦେଖି ଫେରି ଥିଲେ ଶୋଇବା ପାଇଁ । କିନ୍ତୁ ଆଜି ସକାଳୁ ସକାଳୁ ଅଢେଇ ମାସର ବାଛୁରୀର କେହି ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେବା ସହ ବାଛୁରୀର ପଛ ପଟରୁ କ୍ଷତ ଥିବା ଦେଖିବାକୁ ମିଳିଛି । ସେହିପରି ଗୁହାଳ ନିକଟରେ ଅଜଣା ଜନ୍ତୁର ପାଦ ଚିହ୍ନ ରହିଥିବାରୁ ଓଳାଷଂ ଗାଁରେ ଏବେ ଆତଙ୍କ ସୃଷ୍ଟି ହୋଇଛି ।

ସେହିପରି ନିଆଳି ତହସିଲ ପଛପଟ ପୂର୍ବଖଣ୍ଡ ଗାଁର ଖିରୋଦ ଚନ୍ଦ୍ରସେଠୀ ଓ ନିରଞ୍ଜନ ସେଠୀଙ୍କ ଗୁହାଳରେ ଗତକାଲି ଅଜଣା ଜନ୍ତୁ ଆକ୍ରମଣରେ ୪ ମେଣ୍ଢା ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ଓ ନିଆଳି ପଶୁ ସମ୍ପଦ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମେଣ୍ଢା ପରେ ଏବେ ବାଛୁରୀ ମାନଙ୍କ ଶିକାର ହେବାରୁ ଏଥିପାଇଁ ମେଷ ପାଳକଙ୍କ ମଧ୍ୟରେ ଭାଳେଣି ପଡିଛି । ଗତ ୨୦୧୮ ମସିହାରେ ମଧ୍ୟ ଓଳାଷଂ ଗାଁରେ ଅଜଣା ଜନ୍ତୁ ଆତଙ୍କରେ ବହୁ ମେଣ୍ଢାଙ୍କ ଜୀବନ ଯାଇଥିଲା । ଏବେ ପୁଣି ଅଜଣା ଜନ୍ତୁ ବାଛୁରୀ ଛୁଆକୁ ଆକ୍ରମଣ କରିବା ଘଟଣା ନିଆଳି ବାସିନ୍ଦା ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହା ମଧ୍ୟ ପଢନ୍ତୁ- ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କ, ୪୦ରୁ ଊର୍ଦ୍ଧ୍ବ ମେଣ୍ଢା ମୃତ

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳି, କଣ୍ଟାପଡ଼ା, ବାରଙ୍ଗ,କଟକ ସଦର, ସାଲେପୁର, ବାଙ୍କି, ମାହାଙ୍ଗା, ବାଲିପାଟଣା ଓ ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ରାତି ଅଧରେ ଅଜଣା ଜନ୍ତୁଙ୍କ ଆକ୍ରମଣ ହଜାର ହଜାର ମେଣ୍ଢାଙ୍କ ଜୀବନ ନେଇଛି । ଅଜଣା ଜନ୍ତୁଙ୍କୁ ଠାବ କରିବା ପାଇଁ ଫୁଲ ନଖରା ରେଞ୍ଜ, ଡେରାଡୁନ ବନ ବିଭାଗ, ଟ୍ରାଙ୍କୁଲାଇଜର ଟିମ ଏବଂ ବିଶେଷଜ୍ଞ ଟିମ୍ ଆସିଥିଲେ କିନ୍ତୁ ଅଜଣା ଜନ୍ତୁଙ୍କୁ ଠାବ କରିପାରିନଥିଲେ । ହେଲେ ଗତକାଲି ପୁଣି ରାତିରେ ଅଜଣା ଜନ୍ତୁଙ୍କ ଯୋଗୁଁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି । ଅନ୍ୟପଟେ ଗତକାଲି(ଶନିବାର) ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଅଜଣା ଜନ୍ତୁଙ୍କ ଆକ୍ରମଣର ୪୧ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

Last Updated : Jul 16, 2023, 12:44 PM IST

ABOUT THE AUTHOR

...view details