କଟକ:ଚଳିତ ବର୍ଷ ଦଶହରା ଚାନ୍ଦି ମେଢ଼ରେ ଝଲସିବ କଟକ ସହର । ସହରର ଚାନ୍ଦି ମେଢ଼ କ୍ଲବରେ ଯୋଡ଼ି ହେଲା ମହମ୍ମଦିଆ ବଜାର ପୂଜା କମିଟି । ଆଜି କଟକ ସହରର ୨୯ ତମ ଚାନ୍ଦି ମେଢ଼ ଭାବରେ ମହମ୍ମଦିଆ ବଜାର ନୂତନ ଚାନ୍ଦି ମେଢ଼କୁ ଉଦଘାଟନ କରାଯାଇଛି । ଦେଢ଼ ସହ କେଜି ଓଜନରେ ନିର୍ମିତ ଏହି ଚାନ୍ଦି ମେଢ଼କୁ ନିର୍ମାଣ କରିବା ପାଇଁ ୨୦୧୬ ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଏହା ସଂପୂର୍ଣ୍ଣ କରାଯାଇ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକର ବିଭିନ୍ନ ରାଜନୈତିକ ଦଳର ନେତା, ଶାନ୍ତି କମିଟି, ପୂଜା କମିଟି ଓ ଶାନ୍ତି କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏହା ସହ ସମସ୍ତ ଅତିଥିମାନଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି ।
ଶାରଦୀୟ ଦୁର୍ଗା ପୂଜା ପାଇଁ ସଜେଇ ହେଉଛି ସିଲଭର ସିଟିର ପ୍ରତ୍ୟକଟି ଦୁର୍ଗା ପୂଜା ମଣ୍ଡପ । ପାର୍ବଣକୁ ନେଇ ଉତ୍ସବ ମୁଖର ହୋଇ ଉଠିବ ସିଲଭର ସିଟି କଟକ । ଏଭଳି ସ୍ଥିତିରେ କଟକ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଚାନ୍ଦିମେଢ ଲୋକାର୍ପଣ କାର୍ଯ୍ୟକ୍ରମ । ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ସିଲଭର ସିଟି କଟକରେ ଆଉ 4ଟି ପୂଜା କମିଟି ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ 28 ପୂଜା କମିଟିରେ ଚାନ୍ଦି ମେଢରେ ମା’ ଦୁର୍ଗା ପୂଜା ପାଉଥିବା ବେଳେ ଏବେ ଏହା ବଢି ଚାନ୍ଦି ମେଢ଼ ସଂଖ୍ୟା 32ରେ ପହଞ୍ଚିଛି । ବର୍ତ୍ତମାନ ପ୍ରଥମ ଥର ପାଇଁ ମହମ୍ମଦିଆ ବଜାର ପୂଜା କମିଟି ଏହି ନୂଆ ଚାନ୍ଦି ମେଢ଼ରେ ସାମିଲ ହୋଇଛନ୍ତି ।