କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ ଏବେଠୁ ଉତ୍ସବ ମୁଖର ସିଲଭର ସିଟି । ନିଜ ନିଜ ମେଢକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରତିଯୋଗିତା । ତେବେ ମା‘ଙ୍କ ଧରାବତାରଣ ପୂର୍ବରୁ ମା‘ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିବା ପାଇଁ ମାଟି ଉଠାଣ ଉତ୍ସବ ଆରମ୍ଭ ହୋଇଥିଲା । ପବିତ୍ର ନନ୍ଦ ଉତ୍ସବରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମହାନଦୀ, କାଠ ଯୋଡ଼ି ଉଭୟ ନଦୀରୁ ମା’ ଦୁର୍ଗାଙ୍କର ପ୍ରତିମା ଗଢ଼ିବା ପାଇଁ ମାଟି ଉଠାଣ କରାଯାଇଥିଲା । ହୋମଯଜ୍ଞରେ ନଦୀ କୂଳ ପୁରି ଉଠିଥିବା ବେଳେ ସାତ୍ତ୍ବିକ ପରିବେଶରେ ଶାନ୍ତି ଶୃଙ୍ଖଳିତ ଭାବେ ମା‘ଙ୍କ ମାଟି ଉଠାଯାଇଥିଲା ।
ଏଥି ପାଇଁ କଟକର ଉଭୟ ପାର୍ଶ୍ଵରେ ଥିବା ମହାନଦୀ ଓ କାଠ ଯୋଡ଼ି କୂଳ ଚଳଚଞ୍ଚଳ ହୋଇ ଉଠିଥିଲା । ବିଭିନ୍ନ ସାହି ପୂଜା କମିଟି ପକ୍ଷରୁ ସଂକୀର୍ତ୍ତନ ସହ ଶୋଭା ଯାତ୍ରାରେ ଆସି ମାଟି ଉଠାଣ କରାଯାଇଥିଲା । ମାଟି ଉଠାଣ ବେଳେ ନଦୀ କୂଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପବିତ୍ର ମନ୍ତ୍ର ଉଚ୍ଚାରଣ ହୋମ ଯଜ୍ଞ ମଧ୍ୟରେ ମାଟି ଉଠାଣ ସହ ମାଆ ଦୁର୍ଗାଙ୍କୁ ଅନୁକୂଳ କରାଯାଇଛି । ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ଉଭୟ ତିଥିରେ ମାଟି ଅନୁକୂଳ କରିବାର ବିଦ୍ଧି ଓ ପରମ୍ପରା ରହି ଅସିଥିବା ବେଳେ ଏହାକୁ ବେସ ଆଡମ୍ବର ସହ ପାଳନ କରିଥିଲେ ବିଭିନ୍ନ କମିଟି ।
କଟକର ଚୋଧୁରୀ ବଜାର, ଖାନନଗର, ବିନୋଦବିହାରୀ, ଚାନ୍ଦିନୀ ଚୌକ, ଶେଖ୍ ବଜାର, ବିଦ୍ୟାଧରପୁର, ଚାଉଳିଆଗଞ୍ଜ, ପୋଟପୋଖରି, ଅଲିଶା ବଜାର, ଫିରୀଙ୍ଗ ବଜାର, ବୁଢ଼ୀ ଠାକୁରାଣୀ, ଦରଖା ପାଟଣା, ହରିପୁର ଦୋଳ ମୁଣ୍ଡାଇ, ଯୋବ୍ରା, ଶିଖରପୁର ପ୍ରମୁଖ ପୂଜା ମଣ୍ଡପ ପକ୍ଷରୁ ମାଟି ଅନୁକୂଳ କରାଯାଇଥିଲା । ମାଟି ଉଠାଣ ପୂଜାର୍ଚ୍ଚନା କରାଯାଇ ବାଉଁଶ ପାତ୍ରରେ ମାଟି ଅଣା ଯାଇ ସଙ୍କୀର୍ତ୍ତନ ସହ ଶୋଭା ଯାତ୍ରାରେ ପୂଜା ମଣ୍ଡପକୁ ଅଣା ଯାଇଥିଲା ।