ଓଡିଶା

odisha

ETV Bharat / state

କଟକରେ ଅପରାଧିକ ସାମ୍ରାଜ୍ୟ ଗଢିବା ସ୍ବପ୍ନ ଦେଖୁଥିଲା ଶଙ୍କର, କମିଶନରେଟ ପୋଲିସର ତଦନ୍ତ ଜାରି - ଶଙ୍କରକୁ ପୋଲିସ ଏନକାଉଣ୍ଟର ଘଟଣା

କୁଖ୍ୟାତ ଅପରାଧୀ ଶଙ୍କରର କାର୍ଯ୍ୟକଳାପକୁ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

police encounter sankar
police encounter sankar

By

Published : Mar 3, 2023, 10:05 PM IST

police encounter sankar

କଟକ: କଟକର କୁଖ୍ୟାତ ଅପରାଧୀ ଶଙ୍କରକୁ ପୋଲିସ ଏନକାଉଣ୍ଟର ଘଟଣା । ଏହି ଘଟଣା ପରେ ଶଙ୍କରର କାର୍ଯ୍ୟକଳାପକୁ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ । ଏହାରି ଭିତରେ ପ୍ରାଥମିକ ତଦନ୍ତରୁ ପୋଲିସକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଶଙ୍କର କିଛି କଟକର ପେସାଦାର ଅପରାଧୀଙ୍କୁ ନେଇ ଏକ ଅପରାଧି ଗ୍ୟାଙ୍ଗ୍‌ ପ୍ରସ୍ତୁତ କରୁଥିଲା । ଏନେଇ ଅନେକ ପରିମାଣର ଅର୍ଥ ଆବଶ୍ୟକତା ରହିଥିବା ସେ ଜାଣିଥିଲା ।

ତେବେ ଏହି ଅର୍ଥର ଆବଶ୍ୟକତା ପଡିବାରୁ ସେ ଅପରାଧିକ କାର୍ଯ୍ୟ କରିବା ପାଇଁ ଚିନ୍ତା କରୁଥିଲା । ଏହି କ୍ରମରେ ସେ ବ୍ୟବସାୟୀମାନଙ୍କୁ କୁଆଡେ ଦାଦାବାଟି ମାଗୁଥିଲା । ଏପରି କରି ସେ ଅପରାଧିକ ସାମ୍ରାଜ୍ୟ ଗଢି ତୋଳିବାକୁ ସେ ଯୋଜନା କରୁଥିବା କଥା ମଧ୍ୟ ସ୍ପଷ୍ଠ ହୋଇଛି । ସବୁଠାରୁ ବଡ଼ କଥା ହେଉଛି, 2016 ମସିହାରେ କଟକ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ଅପରାଧୀ ଦମନ ଅଭିଯାନ ପରେ ପ୍ରାୟ ଅନେକ ସବୁ ଅପରାଧୀ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ମାତ୍ର ଏବେ ସେମାନେ ପୁଣି ଥରେ ସକ୍ରିୟ ହେଉଥିବାରୁ ପୋଲିସ ତାହାର ରଣକୌଶଳକୁ ବଦଳାଇଥିଲା।

ଦୀର୍ଘଦିନ ପରେ କଟକରେ ପୋଲିସ ଏନକାଉଣ୍ଟରରେ ଶଙ୍କର ଆହତ ହେବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ଶଙ୍କର କଟକରେ ନିଜର ଅପରାଧ ସାମ୍ରାଜ୍ୟ ଗଢିବା ପାଇଁ ରଚୁଥିଲା ସାଂଘାତିକ ଷଡ଼ଯନ୍ତ୍ର । ନିଜର ଏକ ଗ୍ୟାଙ୍ଗ ଗଠନ କରିବା ପାଇଁ ସେ ଯୋଜନା କରୁଥିଲା । ଏଥିପାଇଁ ସେ ତାର ସମର୍ଥନ ବଢ଼ାଇ ଚାଲୁଥିଲା । ଟାର୍ଗେଟରେ ସେ ଯୁବକ ମାନଙ୍କୁ ରଖୁଥିଲା । ଅର୍ଥାତ ନିଜ ଗ୍ୟାଙ୍ଗକୁ ସକ୍ରିୟ କରିବାକୁ ସେ ଯୁବକମାନଙ୍କୁ ଟାର୍ଗେଟ କରୁଥିଲା। ତେବେ ଯୁବକମାନଙ୍କ ସମର୍ଥନ ପାଇଁ ବିପୁଳ ପରିମାଣର ଟଙ୍କା ଆବଶ୍ୟକ ପଡିବା କଥା ମଧ୍ୟ ସେ ଜାଣିଥିଲା । ଏଥିପାଇଁ ଅର୍ଥ ମଧ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲା ଏହି କୁଖ୍ୟାତ ଅପରାଧୀ । ବିଭିନ୍ନ ବ୍ୟବସାୟୀମାନଙ୍କଠାରୁ ଦାଦାବଟି ଆଣି ନିଜର ଅପରାଧିକ ସାମ୍ରାଜ୍ୟ ବଢାଇବା ପାଇଁ ସେ ଯୋଜନା କରୁଥିଲା । କେବଳ ସେତିକି ନୁହେଁ, ନିଜ ଗ୍ୟାଙ୍ଗରେ ସାମିଲ କରିବା ପାଇଁ ହତ୍ୟା, ରାହାଜାନି ଓ ଡକାୟତି ଭଳି ସଙ୍ଗୀନ ମାମଲାରେ ଜେଲରେ ବିଚାରାଧୀନ କଏଦୀମାନଙ୍କୁ ବି ବାଛିଥିଲା ଶଙ୍କର ।

ତେବେ ସେମାନଙ୍କ ମଧ୍ୟରୁ ଯେଉଁ ଅପରାଧୀ ମାନେ ଜାମିନରେ ଖଲାସ ହେଉଥିଲେ । ସେମାନଙ୍କୁ ଭେଟି ନିଜର ସମର୍ଥନ ପାଇଁ କହି ସେମାନଙ୍କୁ ଧରି ଅପରାଧ ଘଟାଇବା ପାଇଁ ଯୋଜନା ବି କରୁଥିଲା । ଏଥିସହ ଏହି କ୍ରମରେ ସେ ଧୀରେଧୀରେ ନିଜର ଗ୍ୟାଙ୍ଗ ତିଆରି କରିବା ଆରମ୍ଭ କରିଥିଲା । ଏମିତିକି ଗ୍ୟାଙ୍ଗ ପରିଚାଳନା କରିବା ଓ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଯେଉଁ ଅର୍ଥର ଆବଶ୍ୟକ ପଡେ, ଅର୍ଥାତ ଆବଶ୍ୟକ ହେଉଥିବା ଅର୍ଥର ଅଭାବକୁ ଦୂର କରିବା ପାଇଁ ବ୍ୟବସାୟୀମାନଙ୍କୁ ବଟି ମାଗିବା ମଧ୍ୟ ଆରମ୍ଭ କରିଥିଲା ଶଙ୍କର । ହେଲେ ଶଙ୍କରର ପ୍ରତିଟି ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା କଟକ କମିଶନରେଟ ପୋଲିସ । ସେଥିପାଇଁ ଗତ ରାତିରେ ପୋଲିସ ଟିମ୍‌ ତାକୁ ଅଟକାଇଥିଲା । କିନ୍ତୁ ଶଙ୍କର ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ବୋଲି କଟକ ଡିସିପି କହିଛନ୍ତି ।

ପ୍ରକାଶ ଥାଉକି, 2016 ମସିହାରେ କଟକ କମିଶନରେଟ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ଅପରାଧୀ ଦମନ ଅଭିଯାନ ପରେ, କଟକ ସହରରେ ଏକ ପ୍ରକାର ଅପରାଧୀ ମୁକ୍ତ ହୋଇଯାଇଥିଲା । ଡି-ବ୍ରଦର୍ସଙ୍କ ଠାରୁ ଆରମ୍ଭ କରି ଟିଟୋ, ହାଇଦର, ରାଜା ଆଚାର୍ଯ୍ୟ ଭଳି କୁକ୍ଷାତ ଅପରାଧୀଙ୍କ ଦ୍ବାରା ପରିଚାଳିତ ହେଉଥିବା ଗ୍ୟାଙ୍ଗଗୁଡ଼ିକୁ ବି ନଷ୍ଟ କରିଥିଲା ପୋଲିସ । ଏହି ଅଭିଯାନ ସମୟରେ ବିଭିନ୍ନ ଗୋଷ୍ଠୀର ଶହେରୁ ଊର୍ଦ୍ଧ୍ବ ପେସାଦାର ଅପରାଧୀ ଗିରଫ ହେବା ସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲା ପୋଲିସ ।

ତେବେ ଏହି କୁଖ୍ୟାତ ଅପରାଧୀମାନଙ୍କ ମଧ୍ୟରୁ ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା । ଟିଟୋକୁ ବାଦ ଦେଲେ ଅନ୍ୟ ଗ୍ୟାଙ୍ଗଷ୍ଟରମାନେ ଏବେ ଜେଲ୍‌ ହାଜତରେ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ୟାଙ୍ଗଷ୍ଟର ମୁକ୍ତ ଥିବା କଟକ ସହରକୁ ପୁଣି ଥରେ ନିଜ କବଜାକୁ ନେବା ପାଇଁ ବିଭିନ୍ନ ଅପରାଧୀ ଗୋଷ୍ଠୀ ଉଦ୍ୟମ କରୁଛନ୍ତି ବୋଲି ବେଶ ଚର୍ଚ୍ଚା ହେଉଛି । ସେହିପରି ଶଙ୍କର ମଧ୍ୟ ସମାନ ଯୋଜନା କରୁଥିବା କଥା ବି ସ୍ପଷ୍ଟ ହୋଇଛି । ତେବେ କଟକ ସହରରେ କୌଣସି ପ୍ରକାରର ଅପରାଧୀ କିମ୍ବା ଅପରାଧିକ କାର୍ଯ୍ୟକଳାପକୁ କୌଣସି ମତେ ପ୍ରସୟ ଦିଆଯିବ ନାହିଁ ବୋଲି କଟକ ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details