କଟକ:ନେତାଜୀ ବସ ଟର୍ମିନାଲର ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନି ମହମ୍ମଦ ମୋକିମ । କଟକିଆଙ୍କ ପ୍ରତି ଅଣଦେଖାକୁ ନଜର ରଖି ଏହି ମେଗା ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଡ଼ି ହେବେନି ବିଧାୟକ ମୋକିମ । ତେବେ ସିଡିଏ ପକ୍ଷରୁ ନିମନ୍ତ୍ରଣ ଆସିଥିବା ସତ୍ତ୍ୱେ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମରୁ ଦୂରେଇ ରହିବେ ବୋଲି ମୋକିମ କହିଛନ୍ତି ।
ତେବେ ବସ ଟର୍ମିନାଲ କାର୍ଯ୍ୟକ୍ରମରେ ଓଡିଆ ଯୁବକ ଯୁବତୀଙ୍କୁ ଅଣଦେଖା କରି ତାମିଲ ଠିକାଦାରଙ୍କୁ କାମ ଦେବାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ମୋକିମ । କଟକରେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି । ତରବରିଆ ଭାବେ ବାହାର ରାଜ୍ୟରୁ ଶ୍ରମିକ ଆଣି ବସ ଟର୍ମିନାଲ ନିର୍ମାଣ କରିବା ଓ ଏତେ ତରବରିଆ ଭାବେ ଏହାକୁ ଉଦ୍ଘାଟନ କରିବାକୁ ନିନ୍ଦନୀୟ ପ୍ରସଙ୍ଗ କହିବା ସହ ଉଦ୍ଘାଟନ କାର୍ଯ୍ୟକ୍ରମରୁ ଦୂରେଇ ରହିବା ନେଇ ସିଧାସଳଖ କହିଛନ୍ତି ମୋକିମ । ତାମିଲ ଠିକାଦାର ଓ ତାମିଲ କର୍ମଚାରୀ କଣ ପାଇଁ ବସ ଟର୍ମିନାଲ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋକିମ ।
ତେବେ ଆଜି(ଶନିବାର) ବହୁ ପ୍ରତିକ୍ଷୀତ ନେତାଜୀ ବସ ଟର୍ମିନାଲ ଉଦଘାଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଛି । ଏହି ବସ ଟର୍ମିନାଲରେ 52ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ 20ଟି ମୋ ବସ ସହ ମୋଟ 191ଟି ବସ ମଧ୍ୟ ରହଣୀର ସୁବିଧା ରହିଛି ।